‘ଯିଏ ଅନ୍ୟକୁ କହୁଥିଲେ ଡର ନାହିଁ, ସେ ଆଜି ନିଜେ ଡରିଗଲେ’

ନୂଆଦିଲ୍ଲୀ: ସମସ୍ତ ଚର୍ଚ୍ଚାର ଅନ୍ତଘଟାଇ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ରାୟବରେଲି ଏବଂ ଆମେଠୀ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଦଳ ରାହୁଲ ଗାନ୍ଧୀଙ୍କୁ ରାୟବରେଲିରୁ ପ୍ରାର୍ଥୀ କରିଥିବାବେଳେ, କିଶୋରୀ ଲାଲ ଶର୍ମାଙ୍କୁ ଆମେଠୀ ଲୋକସଭା ଆସନରୁ ପ୍ରାର୍ଥୀ କରିଛି । ଏନେଇ ରାହୁଲ ଗାନ୍ଧୀ ଆଜି (ଶୁକ୍ରବାର) ନିଜ ନାମାଙ୍କନ ଦାଖଲ କରିଛନ୍ତି । ଏହି ସମୟ ମଧ୍ୟରେ କଂଗ୍ରେସ ଦଳର ବରିଷ୍ଠ ନେତାମାନେ ତାଙ୍କ ସହିତ ଉପସ୍ଥିତ ରହିଥିଲେ ।

ରାୟବରେଲୀରୁ ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧୀ ​​ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ ଘୋଷଣା ହେବା ପରେ ପୂର୍ବତନ କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣ କହିଛନ୍ତି ଯେ ରାହୁଲ ଗାନ୍ଧୀ ଆମେଠୀ ରୁ ନିର୍ବାଚନ ଲଢିବା ଉଚିତ୍ ।

ସେ ଆହୁରୀ କହିଛନ୍ତି, ରାହୁଲ ଆମେଠୀ ରୁ ନିର୍ବାଚନ ନ ଲଢିବା ଦ୍ବାରା ଏହି ବାର୍ତ୍ତା କଂଗ୍ରେସ କର୍ମୀ ତଥା ସମଗ୍ର ଦେଶକୁ ଯିବଯେ, ଯେଉଁ ବ୍ୟକ୍ତି ପ୍ରତିଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚ୍ୟାଲେଞ୍ଜ କରୁଥିଲେ, ପ୍ରତିଦିନ ସେ ତାଙ୍କ କଂଗ୍ରେସ କର୍ମୀ ଏବଂ ଦେଶର ଲୋକଙ୍କୁ ଭୟ ନକରିବାକୁ କହୁଥିଲେ, ସେ ନିଜେ ଆଜି ଭୟଭୀତ ହୋଇଯାଇଛନ୍ତି । ମୁଁ ଭାବୁଛି ଏହା ହେଉଛି କଂଗ୍ରେସର ଦୁର୍ଭାଗ୍ୟ ବୋଲି ଆଚାର୍ଯ୍ୟ ପ୍ରମୋଦ କୃଷ୍ଣ କହିଛନ୍ତି ।