ନବୀନଙ୍କୁ ଛୁଟିଲା ଶୁଭେଚ୍ଛାର ସୁଅ

ଭୁବନେଶ୍ୱର: ଆଜି ଥିଲା ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଜନନାୟକ ତଥା କୋଟି ଓଡ଼ିଆଙ୍କ ପ୍ରିୟ ନେତା ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ୭୭ ବର୍ଷରେ ପାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମାତ୍ର ନବୀନ ଏହି ଜନ୍ମଦିନକୁ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳନ କରି ନାହାନ୍ତି । କିନ୍ତୁ ନବୀନଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛାର ସୁଅ ଛୁଟିଛି । ଏହି ଦିନକୁ ବିଜେଡି କର୍ମୀମାନେ ଉତ୍ସବ ଭଳି ପାଳନ କରିଛନ୍ତି । ରାଜ୍ୟର କୋଣ ଅନୁକୋଣରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କେଉଁଠି ରକ୍ତଦାନ ଶିବିର ତ କେଉଁଠି ବୃକ୍ଷରୋପଣ କରାଯାଇଛି । କେଉଁଠି ସଫେଇ ତ କେଉଁଠି ମନ୍ଦିରକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ଜୀବନ କାମନା କରି ଲୋକେ ଦୀପଦାନ କରିଛନ୍ତି । କେବଳ ଓଡ଼ିଶାରେ ନୁହେଁ, ଟ୍ୱିଟରରେ ବି ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ପ୍ରଦାନ କରିଛନ୍ତି ।
ନୂଆ ଓଡ଼ିଶାର ରୂପକାର, କଳା ସଂସ୍କୃତି ଓ ଐତିହ୍ୟର ରକ୍ଷକ ସମସ୍ତଙ୍କ ପ୍ରୀୟ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ବୋଲି ଉଲ୍ଲେଖ କରି ଟ୍ୱିଟ୍ କରିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ରାଜ୍ୟସଭା ସାଂସଦ ମାନସ ସଙ୍ଗରାଜ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରିଛନ୍ତି । ବିଜେଡି ସାଂସଦ ସସ୍ମିତ ପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ସେ ବରିଷ୍ଠ ନେତା ନୁହନ୍ତି ସେ ଜଣେ ଅନୁଷ୍ଠାନ । ସାଢ଼େ ୪କୋଟି ଓଡ଼ିଆଙ୍କ ପ୍ରୀୟ ମୁଖ୍ୟମନ୍ତ୍ରୀ ଯାହାଙ୍କ କାମ ଏବେ ଦେଶ ତଥା ବିଶ୍ୱରେ ତାଙ୍କୁ ସ୍ୱତନ୍ତ୍ର କରି ଠିଆ କରିଛି ବୋଲି ସସ୍ମିତ ଉଲ୍ଲେଖ କରିଛନ୍ତି ।
ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ଦୀର୍ଘ ନିରାମୟ ଜୀବନ ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ତାଙ୍କ ଦୃଢ଼ ନେତୃତ୍ୱ ଓ ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସଙ୍କଳ୍ପବଦ୍ଧ ଉଦ୍ୟମ ପାଇଁ ପ୍ରେରଣା ଯୋଗାଉଛି ବୋଲି କହିଛନ୍ତି । ପ୍ରତାପ ଜେନା ମଧ୍ୟ ନବୀନଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି । ଦୀର୍ଘ ଜୀବନ ସହ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ସେ ପ୍ରାର୍ଥନା କରିଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ, ପ୍ରହ୍ଲାଦ ଯୋଶୀଙ୍କ ସମେତ ବହୁ ବିଶିଷ୍ଟ କେନ୍ଦ୍ରୀୟ ଓ ରାଜ୍ୟସ୍ତରୀୟ ନେତାମାନେ ମଧ୍ୟ ଟ୍ୱିଟ୍ କରି ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।