ଗୁଜରାଟରେ ଝୁଲା ପୋଲ ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୧୪୧କୁ ବୃଦ୍ଧି, ୯ ଗିରଫ

ଅହମ୍ମଦାବାଦ: ଗୁଜରାଟର ମୋର୍ବି ସହରରେ ରବିବାର ମଚ୍‌ଛୁ ନଦୀ ଉପରେ ନିର୍ମିତ ଝୁଲା ପୋଲ ଭୁଶୁଡି ପଡିଥିବା ଘଟଣାରେ ମୃତକଙ୍କ ସଂଖ୍ୟା ୧୪୧କୁ ବୃଦ୍ଧି ପାଇଛି । ଗତକାଲି ଦୁର୍ଘଟଣା ପରେ ଶତାଧିକ ଲୋକ ନଦୀଗର୍ଭକୁ ଖସିପଡିଥିଲେ । ପ୍ରାୟ ୮୦ ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଘନ ଅନ୍ଧକାର ଯୋଗୁଁ ଉଦ୍ଧାରକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବାବେଳେ ସୋମବାର ସକାଳୁ ନଦୀଗର୍ଭରୁ ଆଉ କେତେକ ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡିଛି । ଏବେମଧ୍ୟ ଶତାଧିକ ନିଖୋଜ ଥିବା ଜଣାପଡିଛି । ଗୁଜରାଟ ପୁଲିସ ଏହି ଘଟଣାରେ ୯ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଉକ୍ତ ପୋଲର ମରାମତି କାର୍ଯ୍ୟ ସମ୍ପାଦନ କରିଥିବା ଓରେଭା ଗ୍ରୁପ୍‌ର ମ୍ୟାନେଜର ଓ ଅନ୍ୟ କର୍ମଚାରୀ ଅନ୍ତର୍ଭୁକ୍ତ । ତେବେ କମ୍ପାନୀର ମାଲିକ କିମ୍ବା ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଗିରଫ କରାଯାଇନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହି ପ୍ରସଙ୍ଗରେ ମୋର୍ବି ଏସ୍‌ପି ଅଶୋକ ଯାଦବ କହିଛନ୍ତି ଯେ ଦୋଷୀମାନେ କୌଣସି ପରିସ୍ଥିତିରେ ଆଇନ ଜାଲରୁ ଖସିିପାରିବେ ନାହିଁ । ତେବେ ଉକ୍ତ ପୋଲର ମରାମତି କାର୍ଯ୍ୟକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ବର୍ତ୍ତମାନ ସାମନାକୁ ଆସିଛି । ମୋର୍ବି ମ୍ୟୁନିସିପାଲ କର୍ପୋରେସନ ପକ୍ଷରୁ ଟେଣ୍ଡର ମାଧ୍ୟମରେ ୧୪୦ ବର୍ଷ ପୁରୁଣା ଏହି ଝୁଲା ପୋଲର ମରାମତି କାର୍ଯ୍ୟ ଓରେଭା ଗ୍ରୁପ୍ ଉପରେ ନ୍ୟସ୍ତ କରାଯାଇଥିଲା । ଉକ୍ତ ପୋଲର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ଓରେଭା ଗ୍ରୁପ୍‌କୁ ୨୦୩୭ ମସିହା ପର୍ଯ୍ୟନ୍ତ ଦାୟିତ୍ୱ ଦିଆଯାଇଥିଲା । ତେବେ ଓରେଭା ଗ୍ରୁପ୍ ତଞ୍ଚକତାପୂର୍ବକ ଏହି ଦାୟିତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବାକୁ ‘ଦେବପ୍ରକାଶ ସଲ୍ୟୁସନ୍‌’ ନାମକ ଏକ ଛୋଟକାଟିଆ ସଂସ୍ଥାକୁ ଦେଇଥିବା ଜଣାପଡିଛି । ପୋଲ ମରାମତି କାର୍ଯ୍ୟରେ ଦେବପ୍ରକାଶ ସଲ୍ୟୁସନ୍ କମ୍ପାନୀର ସେଭଳି ଅଭିଜ୍ଞତା ନଥିବାବେଳେ ସେମାନେ ଉପରଠାଉରିଆଭାବେ କାର୍ଯ୍ୟ ଶେଷ କରିଥିଲେ । ଏପରିକି ମରାମତି ଶେଷ ହେବାପରେ ଏହା ଠିକ୍‌ଠାକ୍ କାର୍ଯ୍ୟ କରୁଛି କି ନାହିଁ, ତାହା ମଧ୍ୟ ବିଶେଷଜ୍ଞଙ୍କ ଦ୍ୱାରା ଯାଞ୍ଚ କରାଯାଇନଥିଲା । ନିୟମ ମୁତାବକ ମରାମତି କାର୍ଯ୍ୟ ପାଇଁ ଏହି ପୋଲକୁ ଅତିକମରେ ୮ରୁ ୧୨ ମାସ ବନ୍ଦ ରଖାଯିବା ଉଚିତ । ତେବେ ଓରେଭା ଗ୍ରୁପ୍ ମାତ୍ର ୭ ମାସ ମଧ୍ୟରେ କାର୍ଯ୍ୟ ସମ୍ପାଦନ ହୋଇଥିବା ଦର୍ଶାଇବାରୁ ପ୍ରଶାସନ ପକ୍ଷରୁ ଏହାକୁ ପୁଣି ସର୍ବସାଧାରଣଙ୍କ ନିମନ୍ତେ ଖୋଲାଯାଇଥିଲା । ପୁନଶ୍ଚ ଉକ୍ତ ପୋଲଟି ସର୍ବାଧିକ ୧୨୫ ଜଣ ଲୋକଙ୍କ ଓଜନ ସମ୍ଭାଳିବା ଉପଯୋଗୀ ହୋଇଥିବାବେଳେ ଦୁର୍ଘଟଣା ସମୟରେ ପୋଲ ଉପରେ ୫୦୦ ଲୋକଙ୍କର ଭିଡ ଜମିଥିଲା । ଏପରିକି କେତେକ ଉଦ୍‌ଭ୍ରାନ୍ତ ଯୁବକ ଉକ୍ତ ପୋଲ ଉପରେ ନାଚକୁଦ କରିବା ଫଳରେ ପୋଲଟି ପେଣ୍ଡୁଲମ ଭଳି ଗୋଟିଏ ପାଶ୍ୱର୍ରୁ ଅପରପାଶ୍ୱର୍କୁ ଦୋହଲୁଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଦର୍ଶକଙ୍କ ସଂଖ୍ୟା ଉପରେ ନଜର ରଖିବାକୁ ସେଠାରେ ପର୍ଯ୍ୟାପ୍ତ ପୁଲିସ ବ୍ୟବସ୍ଥା ମଧ୍ୟ କରାଯାଇନଥିଲା । ଅପରପକ୍ଷରେ ମରାମତି ପରେ ପୋଲଟି ଅତିକମରେ ୧୦ ବର୍ଷ କାର୍ଯ୍ୟକ୍ଷମ ରହିବ ବୋଲି ଓରେଭା ଗ୍ରୁପ୍ ପରିଚାଳନା ନିର୍ଦ୍ଦେଶକ ଜୟସୁଖଭାଇ ପଟେଲ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ତେବେ ଖୋଲାଯିବାର ମାତ୍ର ପାଞ୍ଚଦିନ ମଧ୍ୟରେ ପୋଲଟି ଭୁଶୁଡି ପଡିଥିଲା । ମୋର୍ବି ମ୍ୟୁନିସିପାଲ କର୍ପୋରେସନ ପକ୍ଷରୁ ଓରେଭା ଗ୍ରୁପ୍‌କୁ ଝୁଲା ପୋଲ ବ୍ୟବହାର ପାଇଁ ୨୦୩୭ ମସିହା ପର୍ଯ୍ୟନ୍ତ ଟିକଟ ବିକ୍ରି କରିବାକୁ କ୍ଷମତା ଦିଆଯାଇଛି । କମ୍ପାନୀ ଇତିମଧ୍ୟରେ ଟିକଟ ମୂଲ୍ୟ ୧୨ ଟଙ୍କାରୁ ୧୭ ଟଙ୍କାକୁ ବୃଦ୍ଧି କରିଥିବାବେଳେ ଅଧିକ ରାଜସ୍ୱ ଆଦାୟ ଲୋଭରେ ନିର୍ଦ୍ଧାରିତ ସଂଖ୍ୟାଠାରୁ ଅଧିକ ଲୋକଙ୍କୁ ଟିକଟ ବିକ୍ରି କରିଥିବା ଅଭିଯୋଗ ହୋଇଛି । ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆରଏଫ୍‌ର ୫ଟି ଟିମ୍‌, ଏସଡିଆରଏଫ୍‌ର ୬ ପ୍ଲାଟୁନ, ବାୟୁସେନାର ଗୋଟିଏ ଟିମ୍ ସମେତ ସ୍ଥଳସେନାର ଦୁଇଟି କଲମ ଏବଂ ନୌସେନାର ୨ଟି ଟିମ୍‌କୁ ନିୟୋଜିତ କରାଯାଇଛି । ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ପ୍ରତ୍ୟେକ ଆହତଙ୍କୁ ୫୦ ହଜାର ଟଙ୍କାର କ୍ଷତିପୂରଣ ଘୋଷଣା କରିସାରିଥିବାବେଳେ ରାଜ୍ୟ ସରକାର ପ୍ରତ୍ୟେକ ମୃତକଙ୍କ ପରିବାରକୁ ୪ ଲକ୍ଷ ଏବଂ ପ୍ରତ୍ୟେକ ଆହତଙ୍କୁ ୫୦ ହଜାର କ୍ଷତିପୂରଣ ଦେବେ ବୋଲି ଘୋଷଣା କରିସାରିଛନ୍ତି ।

Hanging pole accident in Gujarat: Death toll rises to 141