ପ୍ରଥମ ଥର ପାଇଁ ହାର୍ଦିକ ପାଣ୍ଡ୍ୟା ଙ୍କର ନେତୃତ୍ୱାଧୀନ ଗୁଜରାଟ ଟାଇଟନ୍ସ ୨୦୨୨ ଆଇପିଏଲ ରେ ଚମତ୍କାର ପ୍ରଦର୍ଶନ ଜାରି ରଖି ପଏଣ୍ଟ ଟେବୁଲ ର ଶୀର୍ଷ ସ୍ଥାନ ଅଧିକାର କରିଛି I ଆଜି ର ୬୨ ତମ ମୁକାବିଲାରେ ଗୁଜରାଟ ଚେନ୍ନାଇ ସୁପର କିଙ୍ଗ୍ସକୁ ୭ ଓ୍ଵିକେଟ୍ରେ ହରାଇଛି। ୧୩ ଟି ମ୍ୟାଚ ଖେଳି ଗୁଜରାଟ ର ଏହା ହେଉଛି ଦଶମ ବିଜୟ I ଅନ୍ୟପକ୍ଷେ ଚେନ୍ନାଇ ସୁପର କିଙ୍ଗ୍ସ ୧୩ମ ମୁକାବିଲାରୁ ନବମ ପରାଜୟ ଭୋଗିଛି। ଚେନ୍ନାଇ ଦ୍ଵାରା ଧାର୍ଯ୍ୟ ୧୩୪ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଗୁଜରାଟ ୧୯.୧ ଓଭରରେ ୩ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ଦଳ ଗୁଜରାଟ ବୋଲରଙ୍କ ମାପଚୁପ ବୋଲିଂ କାରଣରୁ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୩୩ ରନ କରିଥିଲା। ଋତୁରାଜ ଗାଏକଓ୍ଵାଡ ସର୍ବାଧିକ ୫୩ ରନ କରିଥିବା ବେଳେ ଏନ ଜଗଦୀଶନ ୩୭ ରନ କରିଥିଲେ। ମୋଇନ ଅଲ୍ଲୀ ୨୧ ରନ କରିଥିଲେ। ତେବେ ଦଳ ଦ୍ରୁତ ବ୍ୟାଟିଂ କରିପାରିନଥିଲା। ଗୁଜରାଟ ପକ୍ଷରୁ ମହମ୍ମଦ ଶାମି ୧୯ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି। ରଶିଦ ଖାନ, ଅଲଜାରୀ ଯୋଶେଫ ଏବ ସାଇ କିଶୋର ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।
ଜବାବରେ ଗୁଜରାଟ ଟାଇଟନ୍ସ ୧୯.୧ ଓଭରରେ ୩ ଓ୍ଵିକେଟ୍ ହରାଇ ସହଜରେ ୧୩୪ ରନର ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଋଦ୍ଧିମାନ ଶାହା ଅପରାଜିତ ଅର୍ଦ୍ଧଶତକୀୟ ଇନିଂସ ଖେଳି ଦଳକୁ ବିଜୟୀ କରାଇଛନ୍ତି। ଶାହା ୫୭ ବଲରୁ ୮ ଚୌକା ଏବଂ ୧ ଛକା ସହ ୬୭ ରନ କରିଛନ୍ତି। ତାଙ୍କ ସହ ଡେଭିଡ୍ ମିଲର ୧୫ ରନ କରି ଅପରାଜିତ ଥିଲେ। ଶୁବମାନ ଗିଲ୍ ୧୮ ଏବଂ ମାଥ୍ୟୁ ଓ୍ଵେଦ ୨୦ ରନ କରିଥିଲେ। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା(୭) ସଅଳ ଆଉଟ୍ ହୋଇଥିଲେ। ଆଇପିଏଲରେ ପଦାର୍ପଣ ମ୍ୟାଚ୍ ଖେଳିଥିବା ଚେନ୍ନାଇ ବୋଲର ମଥିସା ପାଥିରାନା ୨୪ ରନ ଦେଇ ୨ଟି ଏବଂ ମୋଇନ ଅଲ୍ଲୀ ଗୋଟିଏ ଓ୍ଵିକେଟ୍ ନେଇଛନ୍ତି।