ଗୁଜୁରାଟ :ବିଷାକ୍ତ ମଦ ପିଇ ୧୯ ମୃତ ; ଏକାଧିକ ଡାକ୍ତରଖାନାରେ ଭର୍ତ୍ତି

ଗୁଜୁରାଟର ବୋଟାଦ ଜିଲ୍ଲାର ରୋଜିଦ୍ ଗ୍ରାମରେ ବିଷାକ୍ତ ମଦ ପିଇ ୧୯ ଜଣଙ୍କର ମୃତ୍ୟୁ I ଏହା ସହିତ ୨୦ ରୁ ଅଧିକ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି । ବିଷାକ୍ତ ମଦ ମାମଲାରେ ପୋଲିସ କିଛି ଲୋକଙ୍କୁ ଗିରଫ କରିଛି। ଗୁଜୁରାଟ ପୋଲିସ ସହିତ ବର୍ତ୍ତମାନ ଗୁଜୁରାଟ ଆତଙ୍କବାଦୀ ବିରୋଧୀ ସ୍କ୍ୱାଡ଼ (ଏଟିଏସ) ଏବଂ ଅହମ୍ମଦାବାଦ କ୍ରାଇମ ବ୍ରାଞ୍ଚ ଏହି ଘଟଣାରେ ମିଳିତ ଅନୁସନ୍ଧାନ ଜାରି ରଖିଛନ୍ତି I

ଗୁଜୁରାଟର ମହାନିର୍ଦ୍ଦେଶକ ପୋଲିସ (ଡିଜିପି) ଆଶିଷ ଭାଟିଆ କହିଛନ୍ତି ଯେ ଗତ କାଲି ସକାଳେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସା ସମୟରେ ଅନ୍ୟ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ସୋମବାର ବିଳମ୍ବିତ ରାତିରେ ଡାକ୍ତରଖାନାରେ ଅନ୍ୟ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ଭାଟିଆ କହିଛନ୍ତି ଯେ ବେଟାଡ ଜିଲ୍ଲାରୁ ବେଆଇନ ମଦ ବିକ୍ରିରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୋଲିସ ୩ ଜଣ ମଦ ଚୋରା ଚାଲାଣକାରୀଙ୍କୁ ଗିରଫ କରିବା ସହ ଅନ୍ୟ ୧୦ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି I
ଏଥି ସହିତ ବୋଟାଡ ପୋଲିସ ଅଧୀକ୍ଷକ କରଣରାଜ ବାଘେଲା ସୋମବାର ବିଳମ୍ବିତ ରାତିରେ ଗଣମାଧ୍ୟମକୁ କହିଛନ୍ତି ଯେ ଏହି ଘଟଣାରେ ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ପଞ୍ଜିକୃତ ହୋଇଛି ଏବଂ କିଛି ଲୋକଙ୍କୁ ଗିରଫ କରାଯାଇଛି। ବାଘେଲା କହିଛନ୍ତି ଯଦି ଆବଶ୍ୟକ ହୁଏ ତେବେ ପୋଲିସ ଅଭିଯୁକ୍ତ ମାନଙ୍କ ବିରୋଧ ରେ ହତ୍ୟା ଦଫା ଲଗାଇବ । କୁହାଯାଉଛି ଯେ, ବିଷାକ୍ତ ମଦ ପିଇ ରୋଜିନ୍ଦ, ଅଣିୟାଣି, ଆକରୁ, ଚନ୍ଦରବା ଓ ଉଞ୍ଚଡି ଗ୍ରାମବାସୀ ପ୍ରଭାବିତ ହୋଇଛନ୍ତି । ସେହିପରି ଅହମ୍ମଦାବାଦର ଧନ୍ଧୁକାରେ ବିଷାକ୍ତ ମଦ ପିଇ ଅନେକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗୁଜୁରାଟରେ ମଦ ଉପରେ କଟକଣା ଲାଗିଛି । ଏହା ସତ୍ତ୍ୱେ ମଦ କେଉଁଠୁ ଆସୁଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏବେ ପୋଲିସ ଏହି ମାମଲାରେ ମୁହଁ ଖୋଲୁନି । ୨୦୧୭ରୁ ରାଜ୍ୟରେ ମଦ ବିରୋଧରେ ଆଇନ ଅଛି । ଯଦି କେହି ବେଆଇନ ଭାବେ ବିକ୍ରି କରେ ତା ଉପରେ ୧୦ ବର୍ଷର ଜେଲ ଦଣ୍ଡ ଓ ୫ ଲକ୍ଷ ଟଙ୍କାର ଜରିମନା ଲାଗିପାରେ I ତେବେ ଗୁଜୁରାଟ ଏଟିଏସ ସହିତ ଅହମ୍ମଦାବାଦ ଅପରାଧ ଶାଖା ମଧ୍ୟ ଅପରାଧୀଙ୍କୁ ଖୋଜିବା ପାଇଁ ଅନୁସନ୍ଧାନରେ ଜାରି ରଖିଛି I