ସ୍କୁଲ ପାଇଁ ପୁଣି ଜାରି ହେଲା ଗାଇଡଲାଇନ

କୋଭିଡ଼ ର ସମ୍ଭାବ୍ୟ ୩ୟ ଲହର ଓ ପାର୍ବଣ ଋତୁ କୁ ଦୃଷ୍ଟିରେ ରଖି ଜନସାଧାରଣ ବିଶେଷ କରି ପିଲା ମାନଙ୍କୁ ସର୍ତକ ରହିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର I ରାଜ୍ୟ ରେ ଖୋଲିଥିବା ସ୍କୁଲ ଗୁଡିକ ପାଇଁ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପରେ ଗଣଶିକ୍ଷା ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ମାସ୍କ ବିନା ସ୍କୁଲରେ ପ୍ରବେଶ କରିପାରିବେନି ପିଲା । ସ୍କୁଲ ଆସୁଥିବା ସମସ୍ତ ଛାତ୍ରଛାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ପୂର୍ବ ଗାଇଡ଼ଲାଇନ ସହ ଅନ୍ୟ ଗାଇଡ଼ଲାଇନକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ।ଏନେଇ ସରକାରଙ୍କ ତରଫରୁ ସମସ୍ତ ଡିଇଓମାନଙ୍କୁ ଚିଠି ଲେଖାଯାଇଛି । ମାସ୍କ ପିନ୍ଧିବା ସହ ସ୍କୁଲରେ ସମସ୍ତ ପିଲାଙ୍କ ହେବ ଥର୍ମାଲ ସ୍କ୍ରିନିଂ । କ୍ଲାସରୁମରେ ପାଳନ ହେବ ସାମାଜିକ ଦୂରତା । ଥର୍ମାଲ ସ୍କ୍ରିନିଂ ସହ ହାତକୁ ବିଶୋଧନ କରିବାର ବ୍ୟବସ୍ଥା କରାଯିବ । ଥଣ୍ଡା, କାଶ ଭଳି ସାମାନ୍ୟ ଲକ୍ଷଣ ଦେଖାଦେଲେ ଶିକ୍ଷକ ଓ ଛାତ୍ରଛାତ୍ରୀ ବିଦ୍ୟାଳୟ ଆସିପାରିବେ ନାହିଁ । ବିଆରସିସି ଓ ସିଆରସିସି ପର୍ଯ୍ୟାୟକ୍ରମେ ବିଦ୍ୟାଳୟ ବୁଲି ତଦାରଖ କରିବେ । ଶ୍ରେଣୀଗୃହ ଶିକ୍ଷାଦାନ ତଥା ଅଫଲାଇନ୍‌ ପାଠପଢ଼ା ଆରମ୍ଭ ହୋଇଥିଲେ ମଧ୍ୟ ଅନଲାଇନ୍‌ ପାଠପଢ଼ା ଜାରି ରହିବ । ବିଦ୍ୟାଳୟ ଆସିବାକୁ ଛାତ୍ରଛାତ୍ରୀଙ୍କୁ ସ୍କୁଲ କର୍ତ୍ତୃପକ୍ଷ ବାଧ୍ୟ କରିପାରିବେ ନାହିଁ ବୋଲି ଗାଇଡଲାଇନରେ କୁହାଯାଇଛି ।

Comments (0)
Add Comment