ସେପ୍ଟେମ୍ବରରେ ୧.୪୭ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ : ଗତ ସେପ୍ଟେମ୍ବର ମାସରେ ୧,୪୭ ଲକ୍ଷ କୋଟି ଟଙ୍କା ଜିଏସ୍‌ଟି ସଂଗ୍ରହ ହୋଇଛି । ଏହା ଅଗଷ୍ଟ ମାସର ୧.୪୪ ଲକ୍ଷ କୋଟିଠାରୁ ଅଧିକ । ଏଥିରେ ବାର୍ଷିକ ଅଭିବୃଦ୍ଧି ୨୬% ଦେଖିବାକୁ ମିଳିଛି । ୨୦୨୧ ସେପ୍ଟେମ୍ବରେ ୧.୧୭ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଚଳିତ ବର୍ଷ ଏପ୍ରିଲ୍ ମାସରେ ସବୁଠୁ ଅଧିକ ୧.୬୭ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଥିଲା । ଏହି ମାସରେ ପ୍ରଥମ ଥର ପାଇଁ ଜିଏସ୍‌ଟି ୧.୫୦ ଲକ୍ଷ କୋଟି ଟଙ୍କାର ସୀମା ଅତିକ୍ରମ କରିଥିଲା । ଏପ୍ରିଲ୍‌ରେ ଗ୍ରସ୍ ଜିଏସ୍‌ଟି ରେଭିନ୍ୟୁ ୧,୬୭,୫୪୦ କୋଟି ଟଙ୍କା ରେକର୍ଡ କରାଯାଇଛି । ଏହା ମଧ୍ୟ ସିଜିଏସ୍ ୩୩,୧୫୯ କୋଟି, ଏସ୍‌ଜିଏସ୍‌ଟି ୪୧.୭୯୩ କୋଟି, ଆଇଜିଏସ୍‌ଟି ୮୧୯୩୯ କୋଟି ଟଙ୍କା ଏବଂ ସେସ୍ ୧୦,୬୪୯ କୋଟି ଟଙ୍କା ଥିଲା । ୨୦୨୨ ଜୁନ୍‌ରେ ଜିଏସ୍‌ଟି ସଂଗ୍ରହରେ ଶୀର୍ଷ-୫ ରାଜ୍ୟ ମଧ୍ୟରୁ ମହାରାଷ୍ଟ୍ର ପ୍ରଥମ ସ୍ଥାନରେ ରହିଥିଲା । ମହାରାଷ୍ଟ୍ରରେ ଜିଏସ୍‌ଟି ସଂଗ୍ରହ ଗତବର୍ଷ ତୁଳନାରେ ୨୯% ବୃଦ୍ଧି ପାଇ ୨୧,୪୦୩ କୋଟି ଟଙ୍କା ଥିଲା । ଏହି ଲିଷ୍ଟ୍‌ରେ କର୍ଣ୍ଣାଟକ ୯,୭୬୦ କୋଟି ସଂଗ୍ରହ ସହ ଦ୍ୱିତୀୟ ଏବଂ ଗୁଜରାଟ ୯,୦୨୦ କୋଟି ସହ ତୃତୀୟ ସ୍ଥାନରେ ରହିଥିଲା । ଜିଏସ୍‌ଟିରେ ୫, ୧୨, ୧୮ ଏବଂ ୨୮%ର ଚାରିଟି ସ୍ଲାବ୍ ରହିଛି । ତେବେ ସୁନା ଏବଂ ସୁନାଗହଣା ଉପରେ ୩% ଟ୍ୟାକ୍ସ ଲଗାଯାଇଥାଏ । ସେହିପରି କେତେକ ଅନ୍‌ବ୍ରାଣ୍ଡେଡ୍ ଏବଂ ଅନ୍‌ପ୍ୟାକ୍‌ଡ୍ ପ୍ରଡକ୍ଟ ଉପରେ ଜିଏସ୍‌ଟି ଲାଗୁ ହୋଇନଥାଏ ।