ଗ୍ରୁପ୍ କ୍ୟାପଟେନ୍ ସହିଦ ବରୁଣ ସିଂ ଙ୍କର ରାଜକୀୟ ସମ୍ମାନ ସହକାରେ ହେବ ଅନ୍ତିମ ସଂସ୍କାର : ପରିବାରକୁ ମିଳିବ ୧ କୋଟି ଟଙ୍କାର ସମ୍ମାନ ରାଶି

ଚଳିତ ଡିସେମ୍ବର ୮ ତାରିଖ ରେ ତାମିଲନାଡୁ ର କୁନ୍ନୁର ନିକଟରେ ହେଲିକପ୍ଟର ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା କ୍ୟାପଟେନ ବରୁଣ ସିଂହ ଏକ ସପ୍ତାହ ଧରି ଜୀବନ ସହ ସଂଗ୍ରାମ କରିବା ପରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ସକାଳେ ଶହୀଦ ହୋଇଛନ୍ତି । ତାଙ୍କ ଦେହାନ୍ତ ହୋଇଥିବା କଥା ଭାରତୀୟ ବାୟୁସେନା ଟ୍ୱିଟ ଯୋଗେ ସୂଚନା ଦେଇ ଥିଲା। ଆସନ୍ତାକାଲି ଡିସେମ୍ବର ୧୭ ରେ ତାଙ୍କର ଅନ୍ତିମ ସଂସ୍କାର ଭୋପାଲରେ ସମ୍ପୂର୍ଣ୍ଣ ରାଜକୀୟ ସମ୍ମାନ ସହ କରାଯିବ। ଏହାସହ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ ଅମର ଶହୀଦଙ୍କ ପରିବାରକୁ ଏକ କୋଟି ଟଙ୍କା ସମ୍ମାନ ନିଧି ଦିଆଯିବ।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଭାରତ ମାତାର ବୀର ପୁତ୍ର ସୌର୍ଯ୍ୟର ପ୍ରତୀକ ବୀର ଯୋଦ୍ଧା ବରୁଣ ସିଂହ ଜୀଙ୍କ ଚରଣରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ସେ ଅଦ୍ଭୁତ ଓ ଅଦ୍ୱିତୀୟ ଯୋଦ୍ଧା ଥିଲେ। ସେ ଆଗରୁ ମଧ୍ୟ ମୃତ୍ୟୁକୁ ମାତ ଦେଇଥିଲେ। କିନ୍ତୁ ଏବେ ସେ ଆମ ମଧ୍ୟରେ ନାହାନ୍ତି। ତାଙ୍କର ଅନ୍ତିମ ସଂସ୍କାର ରାଜକୀୟ ଓ ସୈନ୍ୟ ସମ୍ମାନ ସହ ହେବ। ତାଙ୍କ ପରିବାର ପୁରା ଦେଶର, ପୁରା ରାଜ୍ୟର ପରିବାର। ପ୍ରତ୍ୟେକ ଭାରତବାସୀ ପରିବାର ସହ ଛିଡା ହୋଇଛନ୍ତି। ବୀର ଯୋଦ୍ଧାଙ୍କୁ କେବଳ ସମ୍ମାନ ସହ ବିଦା କରାଯିବନି ବରଂ ତାଙ୍କ ସ୍ମୃତିକୁ ବଞ୍ଚାଇ ରଖିବାକୁ ପରିବାର ସହ ଆଲୋଚନା କରି ସଂସ୍ଥାର ନାମ ଓ ପ୍ରତିମା ସ୍ଥାପନା ପାଇଁ ବିଚାର କରାଯିବ। ଶହୀଦଙ୍କ ପରିବାରକୁ ଏକ କୋଟି ଟଙ୍କା ସମ୍ମାନ ନିଧି ଦିଆଯିବ।

ବରୁଣ ସିଂହଙ୍କ ପାର୍ଥିବ ଶରୀର ଅପରାହ୍ନରେ ସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୋପାଲ ଅଣାଯିବ। ଏୟାରପୋର୍ଟ ରୋଡ଼ ସ୍ଥିତ ଇନ୍ନର କୋର୍ଟ କଲୋନୀ ନିଆଯିବ। ସେଠାରେ କ୍ୟାପଟେନଙ୍କ ପିତା ଅବସରପ୍ରାପ୍ତ କର୍ଣ୍ଣଲ କେପି ସିଂହ ରୁହନ୍ତି। ପାର୍ଥିବ ଶରୀର ସେଠାରେ ଅଧା ଘଣ୍ଟା ରଖାଯିବ। ପରିବାର ସଦସ୍ୟଙ୍କ ଦର୍ଶନ ପରେ ପାର୍ଥିବ ଶରୀର ଇନ୍ଦ୍ରପ୍ରସ୍ଥ ପାର୍କ ନିଆଯିବ। ସେନା ପ୍ରୋଟୋକଲ ଅନୁଯାୟୀ ଅନ୍ତିମ ଦର୍ଶନ ବ୍ୟବସ୍ଥା କରାଯାଇଛି। ଅନ୍ତିମ ସଂସ୍କାର ଶୁକ୍ରବାର ସକାଳ ୧୧ଟା ରୁ ୧୨ଟା ମଧ୍ୟରେ କରାଯିବ।

ସୂଚନା ଅନୁସାରେ ଗତ ସପ୍ତାହରେ ହୋଇଥିବା ସେନା ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ‘ସିଡିଏସ’ ଜେନେରାଲ୍‌ ବିପିନ ରାୱତ୍, ତାଙ୍କ ପତ୍ନୀ ମଧୁଲିକା ଙ୍କ ସମେତ ୧୧ଜଣ ବାୟୁସେନା ର ବରିଷ୍ଠ ଅଧିକାରୀ ଘଟଣା ସ୍ଥଳରେ ପ୍ରାଣ ହରାଇଥିଲେ I ଏକମାତ୍ର ଗ୍ରୁପ କ୍ୟାପଟେନ ବରୁଣ ସିଂ ଜୀବୀତ ଥିଲେ । ତାଙ୍କୁ ହେଲିକପ୍ଟର୍‌ର ଭଗ୍ନାଂଶ ତଳୁ ବାହାର ଉଦ୍ଧାର କରି ପ୍ରଥମେ ୱଏଲିଂଟନ ସେନା ହସ୍ପିଟାଲ ଏବଂ ପରେ ଅଧିକ ଚିକିତ୍ସା ପାଇଁ ବେଙ୍ଗାଳୁରୁ ସେନା ହସ୍ପିଟାଲ କୁ ନିଆଯାଇଥିଲା I ତାଙ୍କ ଦେହରେ ୩ଟି ଅସ୍ତ୍ରୋପଚାର କରାଯାଇଥିଲା। ତେବେ ଡାକ୍ତରଙ୍କ ଆପ୍ରାଣ ଚେଷ୍ଟା ଏବଂ ଦେଶବାସୀ ଙ୍କ ଆକୁଳ ପ୍ରାର୍ଥନା ସତ୍ତ୍ୱେ ଗତକାଲି ସକାଳେ ଆଖିବୁଜିଥିଲେ ଗ୍ରୁପ୍ କ୍ୟାପଟେନ ବରୁଣ ସିଂ I

Comments (0)
Add Comment