ବନ୍ୟା ସ୍ଥିତି ସଙ୍ଗୀନ: ଯାଜପୁର ଓ କେନ୍ଦ୍ରାପଡ଼ାରେ ୨ ନିଖୋଜ

ଭୁବନେଶ୍ବର: ରାଜ୍ୟରେ ବନ୍ୟା ସ୍ଥିତି ଅତ୍ୟନ୍ତ ସଙ୍ଗୀନ ହୋଇପଡ଼ିଛି। ଅନେକ ପ୍ରମୁଖ ନଦୀର ଜଳସ୍ତର ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି। ଲଗାଣ ବର୍ଷା ଓ ବନ୍ୟା ଯୋଗୁ ଜନଜୀବନ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ବନ୍ୟାଜଳର ପ୍ରଖର ସ୍ରୋତରେ ଭାସିଯାଇ ୨ ଜଣ ନିଖୋଜ ହୋଇଛନ୍ତି। ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ରବିବାର ସକାଳ ପ୍ରାୟ ୬ଟା ୩୦ ମିନିଟରେ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଦୋବାବିଲପାଟଣାଠାରେ ସୃଷ୍ଟି ହୋଇଥିବା ଘାଇ ନିକଟରେ ବନ୍ୟାଜଳରେ ଜଣେ ବୃଦ୍ଧ ଭାସିଯାଇଛନ୍ତି। ନିଖୋଜ ବ୍ୟକ୍ତିଜଣକ ଦୋବାବିଲପାଟଣା ଗ୍ରାମର ମହେଶ୍ୱର ସୁତାର (୫୫) ବୋଲି ଜଣାପଡ଼ିଛି। ମହେଶ୍ୱର ନିତ୍ୟକର୍ମ ପାଇଁ ବୈତରଣୀ ନଦୀକୂଳକୁ ଯାଇଥିବା ବେଳେ ଗୋଡ଼ ଖସିଯାଇ ସ୍ରୋତରେ ଭାସିଯାଇଥିବା କୁହାଯାଉଛି। ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲେ ହେଁ ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିନାହିଁ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।