ଭୁବନେଶ୍ୱର: ଆଜି ସକାଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ୟୁନିଟ-୨ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ପହଞ୍ଚି ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରୀ ମଣ୍ଡଳର ୬ଜଣ ବରିଷ୍ଠ ମନ୍ତ୍ରୀ ମଧ୍ୟ ଉପସ୍ଥିତଥିଲେ। ଉଭୟ ଅନ୍ଲାଇନ ଓ ଅଫ୍ଲାଇନ ଜରିଆରେ ୭୦୦ରୁ ଉର୍ଦ୍ଧ୍ୱ ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା। ଏହି ଅବସରରେ ଆଜି ସୁଦ୍ଧା ୯୬% ସମସ୍ୟାର ସମାଧାନ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସୂଚନାଯୋଗ୍ୟ, ପୂର୍ବରୁ ରାଜ୍ୟସ୍ତରରେ ଅନୁଷ୍ଠିତ ୧୮ଟି ପାଳିରେ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିବା ୧୪,୯୪୧ ଅଭିଯୋଗ ମଧ୍ୟରୁ ୧୪,୩୩୧ ଅର୍ଥାତ ୯୬ ପ୍ରତିଶତ ଅଭିଯୋଗର ସଫଳ ସମାଧାନ କରାଯାଇଛି। ଜିଲ୍ଲା ଓ ବ୍ଲକ୍ ସ୍ତରରେ ୮୯ ପ୍ରତିଶତ ଅଭିଯୋଗର ଶୁଣାଣି କରାଯାଇ ସମାଧାନ କରାଯାଇଛି । ଆଜି ଦୁରାରୋଗ୍ୟ ରୋଗରେ ପୀଡ଼ିତ ୧୨ ଜଣଙ୍କୁ ତ୍ୱରିତ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୬ ଲକ୍ଷ ୧୫ ହଜାର ଟଙ୍କା ମଞ୍ଜୁର କରାଯାଇଛି ।