ଭୁବନେଶ୍ୱର:ରାସ୍ତାରେ ଗର୍ଜିଲେ ନିଖିଳ ଓଡ଼ିଶା ଆୟୁଷ ଛାତ୍ରସଂଘ । ଲୋୟର ପିଏମଜି ଆଜି ଏହି ଛାତ୍ରଛାତ୍ରୀଙ୍କ ନାରାରେ କମ୍ପୁଥଲା । ୨୧ବର୍ଷ ଧରି ଏହି ଆୟୁଷ ଛାତ୍ରଛାତ୍ରୀ ଚାକିରୀ ପାଇଁ ଅପେକ୍ଷା କରି ବସିଛନ୍ତି । ଶେଷରେ ହତାଶ ହୋଇ ରାସ୍ତାକୁ ଓହ୍ଲାଇଛନ୍ତି । ରାସ୍ତା ଉପରେ ସରକାରଙ୍କୁ ମୁଣ୍ଡିଆ ମାରି ଅନୁରୋଧ କରିଛନ୍ତି ଆୟୁଷ ଡାକ୍ତର ପଦବୀ ବାହାର କର..ଆମକୁ ନିଯୁକ୍ତି ଦିଅ ।
ଆଜି ଭୁବନେଶ୍ୱର ଲୋୟର ପିଏମଜିରେ ମୁଣ୍ଡିଆ ମାରି ଅଭିନବ ପ୍ରତିବାଦ କରିଥିଲେ ଆୟୁଷ ଡାକ୍ତର । ସେମାନଙ୍କର ଅଭିଯୋଗ ଯେ, ୨୧ ବର୍ଷ ହେଲା ଆୟୁଷ ଡାକ୍ତର ପଦବୀ ବାହାରି ନାହିଁ । ଆଉ କେତେଦିନ ଅପେକ୍ଷା କରିବାକୁ ପଡିବ ?
କିଛି ଦିନ ତଳେ ନିଯୁକ୍ତି ଦାବିରେ ଆନ୍ଦୋଳନ କରିଥିଲେ । କଳାବ୍ୟାଜ ପିନ୍ଧି ରାଜ୍ୟ ସରକାରଙ୍କ ବିରୋଧରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ହେଲେ ଦାବି ପୂରଣ ହୋଇ ନଥିଲା । ଏବେ ପୁଣି ବିଧାନସଭା ଚାଲିଥିବାବେଳେ ନିଜ ହକ ପାଇଁ ଭୁବନେଶ୍ୱରରେ ଗର୍ଜିଛନ୍ତି ।
ଆଜି ଶତାଧିକ ଆୟୁଷ ଛାତ୍ରଛାତ୍ରୀ ରାସ୍ତା ଉପରେ ଶୋଇ ମୁଣ୍ଡିଆ ମାରୁଥିବା ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମୁଣ୍ଡିଆ ମାରି ସେ ଦାବି ପୂରଣ ପାଇଁ ଅନୁରୋଧ କରୁଥିବା ଦେଖିବାକୁ ମିଳିଥିଲା ।