ଭୁବନେଶ୍ୱରରେ ଖୋଲିବ ‘ଗ୍ରୀନ୍ ଏନର୍ଜି ଏକ୍ସିଲେନ୍ସ ସେଣ୍ଟର; OHPC ଓ WSC ମଧ୍ୟରେ ଏମଓୟୁ ସ୍ୱାକ୍ଷର

ଭୁବନେଶ୍ୱର: ଭୁବନେଶ୍ୱରରେ ସ୍ଥାପନ ହେବ ‘ଗ୍ରୀନ୍ ଏନର୍ଜି ଏକ୍ସିଲେନ୍ସ ସେଣ୍ଟର’। ଏନେଇ ଓଡ଼ିଶା ହାଇଡ୍ରୋ ପାୱାର କର୍ପୋରେସନ୍ ଲିମିଟେଡ୍ (ଓଏଚପିସି) ଓ ବିଶ୍ୱ ଦକ୍ଷତା କେନ୍ଦ୍ର ମଧ୍ୟରେ ଏମଓୟୁ ସ୍ୱାକ୍ଷର ହୋଇଛି। ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ବିଶ୍ୱ ଦକ୍ଷତା କେନ୍ଦ୍ର କ୍ୟାମ୍ପସର ‘କୌଶଳ ଭବନ’ରେ ଏହି କେନ୍ଦ୍ର ନିର୍ମାଣ ହେବ। ପ୍ରାୟ ୩,୦୦୦ ବର୍ଗଫୁଟ୍ ଅଞ୍ଚଳରେ ଗଢ଼ି ଉଠିବାକୁ ଥିବା ଏହି କେନ୍ଦ୍ର ପାଇଁ ୧ କୋଟି ୪୮ ଲକ୍ଷ ୭୫ ହଜାର ୯ ଟଙ୍କା ଖର୍ଚ୍ଚ ହେବ। ସମ୍ପୂର୍ଣ୍ଣ ଖର୍ଚ୍ଚ ଓଏଚପିସିର ସିଏସ୍ଆର୍ ପାଣ୍ଠିରୁ ବହନ କରାଯିବ। ଏଠାରେ ରୁଫଟପ୍ ସୋଲାର, ଫ୍ଲୋଟିଂ ସୋଲାର, ସୋଲାର ଟ୍ରାକର୍, ପିଏଲସି-ଏସସିଏଡିଏ, ଇଣ୍ଡଷ୍ଟ୍ରିଆଲ୍ ଆଇଓଟି, ରିମୋଟ୍ ମନିଟରିଂ, ଡିଜିଟାଲ୍ ଟେକ୍ନୋଲୋଜି, ପ୍ରିଡିକ୍ଟିଭ୍ ମେଣ୍ଟେନାନ୍ସ, ଏନର୍ଜି ମ୍ୟାନେଜମେଣ୍ଟ ଓ ଷ୍ଟୋରେଜ୍ ଭଳି ଆଧୁନିକ ପ୍ରଯୁକ୍ତିରେ ତାଲିମ ଦିଆଯିବ। ଏହି କେନ୍ଦ୍ରରୁ ପ୍ରତିବର୍ଷ ପ୍ରାୟ ୩୦୦ ଯୁବକଯୁବତୀ ତାଲିମ ନେବାର ସୁଯୋଗ ପାଇବେ। ସୋଲାର ପିଭି ଟେକ୍ନିସିଆନ୍, ଓଏଣ୍ଡଏମ୍ ଟେକ୍ନିସିଆନ୍, ସାଇଟ୍ ସୁପରଭାଇଜର ଓ ଏନର୍ଜି ଅଡିଟର ଭଳି ନୂଆ ଚାକିରି କ୍ଷେତ୍ର ପାଇଁ ସେମାନଙ୍କୁ ପ୍ରସ୍ତୁତ କରାଯିବ। ସେହିପରି ସୌର ପ୍ରକଳ୍ପ ସ୍ଥାପନ ଓ ରକ୍ଷଣାବେକ୍ଷଣରେ ଉଦ୍ୟୋଗୀ ହେବାର ସୁଯୋଗ ମଧ୍ୟ ମିଳିବ।