ଗ୍ରେଟର ନୋଏଡା ବସ୍ ଅଗ୍ନିକାଣ୍ଡ: ଜୀବନ୍ତ ଦଗ୍ଧ ହେଲେ ବିଜେପି ନେତାଙ୍କ ପତ୍ନୀ ଓ ପୁଅ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରେ ଘଟିଥିବା ଭୟଙ୍କର ବସ୍ ଅଗ୍ନିକାଣ୍ଡରେ ଜଣେ ବିଜେପି ନେତାଙ୍କ ପତ୍ନୀ ଓ ପୁଅଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଉଛନ୍ତି ମହୋବା ଜିଲ୍ଲା ଚରଖାରୀର ବିଜେପି ଜିଲ୍ଲା କୋଷାଧ୍ୟକ୍ଷ ନୀରଜ ଗୁପ୍ତାଙ୍କ ୫୦ ବର୍ଷୀୟା ପତ୍ନୀ ସୁନିତା ଗୁପ୍ତା ଏବଂ ତାଙ୍କ ୩୨ ବର୍ଷୀୟ ପୁଅ ଶଶାଙ୍କ ଗୁପ୍ତା। ଶଶାଙ୍କ ଇଣ୍ଡିଗୋ ଏୟାରଲାଇନ୍ସରେ ଜଣେ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଥିଲେ। ସୂଚନା ଅନୁସାରେ, ବୁଧବାର ରାତିରେ ଦିଲ୍ଲୀରୁ ମହୋବା ଯାଉଥିବା ‘ରାଜ କଳ୍ପନା ଟ୍ରାଭେଲ୍ସ’ର ଏକ ଯାତ୍ରୀବାହୀ ବସ୍‌ରେ ହଠାତ୍ ନିଆଁ ଲାଗିଯାଇଥିଲା। ବସ୍ ଭିତରେ ନିଆଁର ପ୍ରକୋପ ବଢ଼ିଯିବା ସମୟରେ ପୁଅ ଶଶାଙ୍କ ନିଜ ମା’ ସୁନିତାଙ୍କୁ ବଞ୍ଚାଇବାକୁ ଆପ୍ରାଣ ଚେଷ୍ଟା କରିଥିଲେ ହେଁ, ଦୁହେଁ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଘଟଣାପରେ ଡିଏନ୍‌ଏ ପରୀକ୍ଷା ଓ ପରିବାର ଚିହ୍ନଟ ପ୍ରକ୍ରିୟା ମାଧ୍ୟମରେ ମୃତଦେହଗୁଡ଼ିକୁ ଚିହ୍ନଟ କରାଯାଇଛି। ଏହି ହୃଦୟବିଦାରକ ଦୁର୍ଘଟଣା ପରେ ମହୋବା ଜିଲ୍ଲା ସମେତ ବିଜେପି ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି।