ବାରିପଦା : ଦିନକୁ ଦିନ ବନ୍ୟ ଜନ୍ତୁମାନଙ୍କ ଶିକାର ବଢିବାରେ ଲାଗିଛି । ନିକଟରେ ଶିକାରୀମାନେ ଶିମିଳିପାଳରେ ଦନ୍ତା ଶିକାର ପରେ ପ୍ରମାଣ ନଷ୍ଟ ପାଇଁ ଏହାକୁ ବନ କର୍ମଚାରୀ ପୋଡି ଦେଇଥିଲେ । ଏବେ ଆଉ ଏକ ସାଂଘାତିକ ଘଟଣା ସାମନାକୁ ଆସିଛି । ଶିମିଳିପାଳରୁ ଏକ ମହାବଳ ବାଘର ଚମଡା ଜବତ ହୋଇଛି । ମହାବଳ ବାଘ ଶିକାର ପରେ ଛାଲ ବିକ୍ରି ପାଇଁ ଉଦ୍ୟମ କରୁଥିବା ବେଳେ ଆଜି ସକାଳେ ଧରା ପଡି ଯାଇଛନ୍ତି ଶିକାରୀ । ଏସ୍ଟିଏଫ୍ ଜଣେ ଶିକାରୀକୁ ଧରିଥିବା ବେଳେ ଦୁଇ ଜଣ ଫେରାର ହୋଇଯାଇଛନ୍ତି । ସୂଚନା ଅନୁସାରେ ବାରିପଦା ଉଦଳା ରାସ୍ତାର ଶ୍ରୀଦାମଚନ୍ଦ୍ରପୁରଠାରେ ଆଜି ସକାଳେ ୩ ଜଣ ବାଘ ଛାଲ ବିକ୍ରି ପାଇଁ ଉଦ୍ୟମ କରୁଥିବା ଏସଟିଏଫ ଖବର ପାଇଥିଲା । ଏହାପରେ ଏସଟିଏଫ ଟିମ୍ ଗରାଖ ସାଜି ସେଠାରେ ପହଂଚି ବାଘ ଛାଲ ପାଇଁ ମୁଲଚାଲ କରିଥିଲେ । ୫ ଲକ୍ଷରେ ଡିଲ୍ ଫାଇନାଲ ହୋଇଥିଲା । ଏହାପରେ ହଠାତ୍ ଏସ୍ଟିଏଫ୍ ଟିମ୍ ଚଢ଼ାଉ କରି ଜଣେ ଶିକାରୀକୁ ମାଡି ବସିଥିବା ବେଳେ ଘଟଣାସ୍ଥଳରୁ ଦୁଇ ଜଣ ଫେରାର ହୋଇଯାଇଛନ୍ତି । ଗିରଫ ଅଭିଯୁକ୍ତଠାରୁ ଗୋଟିଏ ମହାବଳ ବାଘର ଛାଲ ଜବତ କରାଯାଇଛି । ବାଘ ଛାଲଟି ପ୍ରାୟ ମାସେ ତଳର ବୋଲି ଜଣାପଡିଥିବା ବେଳେ ତାହାର ଶରୀର କୁଆଡ ଗଲା ସେ ନେଇ ତନାଘନା ଆରମ୍ଭ ହୋଇଛି ।