ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫ୍ୟାକଲ୍ଟି ଅଫ୍ ଏଗ୍ରିକଲ୍ଚରାଲ ସାଇନ୍ସେସ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ (ଆଇଏଏସ୍)ରୁ ଶିକ୍ଷା ସମାପ୍ତ କରିଥିବା ୨୦୨୬ ବ୍ୟାଚ୍ର ଛାତ୍ରଛାତ୍ରୀଙ୍କ ଗ୍ରାଜୁଏସନ୍ ସେରିମନି ବୁଧବାର ଆୟୋଜିତ ହୋଇଯାଇଛି । ଆଇଏଏସ୍ର ୨୦୨୨-୨୦୨୬ ବ୍ୟାଚର ବିଏସ୍ସି ଏଗ୍ରିକଲ୍ଚର (ଅନର୍ସ) ଓ ୨୦୨୪- ୨୦୨୬ ବ୍ୟାଚ୍ର ଏମ୍.ଏସ୍ସି ଏଗ୍ରିକଲ୍ଚର, ଏମ୍.ଏସ୍ସି (ହର୍ଟିକଲ୍ଚର) ଏବଂ ୧୨ଟି ସ୍ପେଶାଲିଷ୍ଟ ବିଭାଗର ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଏହି ସ୍ୱତନ୍ତ୍ର ଗ୍ରାଜୁଏସନ୍ କାର୍ଯ୍ୟକ୍ରମର ଆୟୋଜନ କରାଯିବା ସହ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଡିଗ୍ରୀ ପ୍ରଦାନ କରିବା ସହ ଶପଥ ପାଠ କରାଇଥିଲେ । ଏହି ଅବସରରେ କୁଳପତି ପ୍ରଫେସର ନନ୍ଦ କହିଥିଲେ ଯେ ଏହି ଡିଗ୍ରୀ କେବଳ ଏକ କାଗଜ ଖଣ୍ଡ ନୁହେଁ, ଏହା ପରିଶ୍ରମ, ଧୈର୍ଯ୍ୟ, ସମୟାନୁବର୍ତୀତା, ଶୃଙ୍ଖଳା, ସଂଘର୍ଷ ଓ ପ୍ରତିବଦ୍ଧତାର ପ୍ରତୀକ ।
ଦେଶର ଶ୍ରେଷ୍ଠ ୧୫ ତମ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟର ମାନକୁ ଉଚ୍ଚକୁ ନେବା ପାଇଁ ଆହ୍ୱାନ ଦେଇ ପ୍ରଫେସର ନନ୍ଦ କହିଥିଲେ ତୁମମାନେ ସୋଆର ବ୍ରାଣ୍ଡ ଆମ୍ବାସଡର । ତୁମମାନଙ୍କର ଆଚରଣ, ସତ୍ୟତା ଏବଂ ସଚ୍ଚୋଟତା ହିଁ ବିଶ୍ୱବିଦ୍ୟାଳୟର ସମ୍ମାନ ବୃଦ୍ଧି କରିଥାଏ ବୋଲି କୁଳପତି କହିଥିଲେ । ଏହି ଅବସରରେ ଆଇଏଏସ୍ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ କୁଷି ମହାବିଦ୍ୟାଳୟର ବିସ୍ତୃତ ବିବରଣୀ ପ୍ରଦାନ କରିବା ପରିପ୍ରେକ୍ଷୀରେ କହିଥିଲେ ଯେ ବର୍ତମାନ ସମୟରେ କୃଷି ଆଉ ପାରମ୍ପରିକ କୃଷି ଭାବେ ସୀମିତ ହୋଇ ରହି ନାହିଁଁ । ଏହା ଖାଦ୍ୟ ସୁରକ୍ଷା, ଜଳବାୟୁ ପରିର୍ତନ, ପ୍ରଯୁକ୍ତିବିଦ୍ୟା, ଗ୍ରାମୀଣ ବିକାଶ, ଉଦ୍ୟୋଗ ଏବଂ ସମାଜ କଲ୍ୟାଣ ସହିତ ମଧ୍ୟ ଜଡିତ ହୋଇଯାଇଛି । ପରିବର୍ତିତ ଜଳବାୟୁ ପରିସ୍ଥିତିରେ କୃଷି ଭିତିକ ଶିକ୍ଷା ଲାଭକୁ କିପରି ଭାବେ ସମାଜ ସୁରକ୍ଷା, କୃଷିର ସୁରୁକ୍ଷା ଓ କୃଷିର ଉତ୍ପାଦନରେ ନିୟୋଜିତ କରାଯାଇପାରିବ ସେ ନେଇ ଛାତ୍ରଛାତ୍ରୀଙ୍କୁ ପ୍ରଫେସର ରାଉତ ଆହ୍ୱାନ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର ପ୍ରଶାନ୍ତ କୁମାର ପାତ୍ର, ପ୍ରଫେସର ଅନୁପ କୁମାର ସାମନ୍ତରାୟ, କଂଟ୍ରୋଲର ଅଫ୍ ଏଗଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଏକାଡେମିକ କାଉନ୍ସିଲ୍ର ସଦସ୍ୟ, ବିଭିନ୍ନ ବିଭାଗୀୟ ମୁଖ୍ୟ ଓ ଫ୍ୟାକଲ୍ଟିମାନେ ଉପସ୍ଥିତ ଥିଲେ ।
ଶରୀରତତ୍ୱ ବିଭାଗର ବିଭାଗୀୟ ମୁଖ୍ୟ ଡକ୍ଟର ସରୋଜ କୁମାର ମହାନ୍ତିଙ୍କ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ