ସରକାରୀ ବିଭାଗ ମାଲିକାନାରେ ଥିବା ଜମିକୁ ଚିହ୍ନଟ କରାଯାଇ ରାଜସ୍ବ ସଂଗ୍ରହ ପାଇଁ ନିଆଯିବ ପଦକ୍ଷେପ

ଭୁବନେଶ୍ୱର :-ସାରା ରାଜ୍ୟରେ ସରକାରଙ୍କ ୪୦ ବିଭାଗ ଏବଂ ଏହାର ନିର୍ଦେଶାଳୟ, ନିଗମ, ବୋର୍ଡ ଆଦିର ମୂଲ୍ୟବାନ ଜମି ରହିଛି। ପ୍ରକଳ୍ପ, କାର୍ଯ୍ୟାଳୟ କିମ୍ବା ଅନ୍ୟ ନିର୍ମାଣ ପାଇଁ ସରକାରୀ ବିଭାଗଗୁଡ଼ିକୁ ଦିଆଯାଇଥିବା ଜମି ଆଦୌ ବ୍ୟବହାର ହୋଇ ନାହିଁ। ସରକାର ସେଥିରୁ ଟଙ୍କାଟିଏ ବି ପାଉ ନାହାନ୍ତି ବରଂ ଖାଲି ଜମିକୁ ବର୍ଷ ବର୍ଷ ଧରି ଜବରଦଖଲରେ ରଖାଯାଇଛି। ଅନେକ ଜମିର ବାସ୍ତବ ସ୍ଥିତି ସମ୍ପର୍କରେ ବିଭାଗ ନିକଟରେ କିଛି ସୂଚନା ନାହିଁ। ସେଥିରୁ ଅଧିକାଂଶ ଜମି ଠାବ କରିବା ମଧ୍ୟ କଷ୍ଟକର। ଏହାକୁ ସରକାର ଗୁରୁତର ସହ ନେଇ ତାହାର ସଦୁପଯୋଗ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ଏହି ମର୍ମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ସବୁ ବିଭାଗକୁ ନେଇ ଅନୁଷ୍ଠିତ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି। ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ କେଉଁ ଜିଲାରେ କେତେ ପରିମାଣର ଅବ୍ୟବହୃତ ସରକାରୀ ଜମି ଅଛି ତାହା ଚିହ୍ନଟ କରିବା ପାଇଁ ମୁଖ୍ୟ ସଚିବ ନିର୍ଦେଶ ଦେଇଛନ୍ତି। ଆବଶ୍ୟକସ୍ଥଳେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସହାୟତା ନିଆଯିବ। ସେହି ଜମି ଅଧିଗ୍ରହଣ ହେବା ପରେ ଲ୍ୟାଣ୍ଡ ବ୍ୟାଙ୍କ ସୃଷ୍ଟି କରାଯିବ। ଏହାପରେ ଉକ୍ତ ଜମିର ଅବସ୍ଥିତି ଦେଖି ସେଠାରେ କ’ଣ କରାଯାଇ ପାରିବ ତାହା ଉପରେ ନିଷ୍ପତ୍ତି ହେବ। ବିଶେଷକରି ଘରୋଇ ସଂସ୍ଥାକୁ ୩୦ ବର୍ଷିଆ ଲିଜ୍ ସୂତ୍ରରେ ଦେବା କିମ୍ବା ସରକାରୀ ଘରୋଇ ଭାଗୀଦାରିରେ କୌଣସି ବ୍ୟବସାୟ ପ୍ରତିଷ୍ଠାନ ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ। ଏହା ଦ୍ବାରା ଜମି ସୁରକ୍ଷିତ ରହିବ ଏବଂ ସରାକର ରାଜସ୍ବ ପାଇବେ।