ଚୋରା ମଦ ବନ୍ଦ ପାଇଁ ସରକାର ପ୍ରତିଶୃତି ବଦ୍ଧ – ଅବକାରୀ ମନ୍ତ୍ରୀ

ଭୁବନେଶ୍ୱର : ଚିକିଟି ମଦ ମୃତ୍ୟୁ ଘଟଣାରେ ଆରଡିସି ତଦନ୍ତ ହେବ। ୨ ମାସ ଭିତରେ ଆସିବ ରିପୋର୍ଟ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ନେଇ ନିର୍ଦ୍ଦେଶ ଦେବେ। ଚୋରା ମଦ ରୋକିବାରେ ସରକାର ପ୍ରତିଶୃତି ବଦ୍ଧ । ରାଜ୍ଯ ସାରା ଚଢ଼ାଉ ଆରମ୍ଭ ହୋଇଛି। ୨୧୭ ଟି ବେଆଇନ ମଦ ଭାଟି ଚିହ୍ନଟ ହୋଇଛି। ୧୧୭ ଜଣଙ୍କୁ ବର୍ତ୍ତମାନ୍ ସୁଦ୍ଧା ଗିରଫ କରାଯାଇଛି ବୋଲି ଅବକାରୀ ମନ୍ତ୍ରୀ ସୂଚନା ଦେଇଛନ୍ତି । ବର୍ଷେ ଭିତରେ ବେଆଇନ ମଦ ନେଟୱର୍କ ଭାଙ୍ଗିବ । ବେଆଇନ ଭାଟିକୁ ବୁଲ ଡୋଜର ଲଗାଇ ଉଡ଼ାଇ ଦିଆଯିବା ନେଇ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ବେଆଇନ ଭାଟି ରହିବନି ବୋଲି ଆଶ୍ଵାସନା ଦେଇଛନ୍ତି ମନ୍ତ୍ରୀ ।

ଆଜି ୨ୟ ପର୍ଯ୍ୟାୟ ବିଧାନସଭାର ତୃତୀୟ ଦିନରେ ଚିକିଟି ମଦ ମୃତ୍ୟୁ ମାମଲାକୁ ନେଇ ଗୃହରେ ହୋହାଲ୍ଲା ହୋଇଥିଲା । ପ୍ରଶ୍ନକାଳ ଆରମ୍ଭରୁ ମଦ ମୃତ୍ୟୁ ପ୍ରସଙ୍ଗ ଉଠାଇ ଗୃହ ମଧ୍ୟଭାଗକୁ ଓହ୍ଲାଇଥିଲା ବିଜେଡି । ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରି ପ୍ରତିବାଦ କରିଥିଲେ ବିଜେଡି ସଦସ୍ୟ । ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ ଅବକାରୀ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ବିଜେଡି ଦାବି କରିଥିଲା ।ସରକାର ଦୋଷୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ।

ତେବେ ମଦମୃତ୍ୟୁ ଘଟଣାରେ ବିଜେଡ଼ିର ପ୍ରତିବାଦ ନେଇ ଗୃହ ବାହାରେ ବିଜେପି ବିଧାୟକ କହିଛନ୍ତି ଦୋଷୀଙ୍କ ବିରୁଦ୍ଧରେ କାର୍ଯାନୁଷ୍ଠାନ ଆରମ୍ଭ ହୋଇଛି । ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ଅମୂଳକ।

ସୂଚନାନୁସାରେ,ଗତ ୧୮ ତାରିଖ ଦିନ ଗଞ୍ଜାମି ଜିଲ୍ଲା ଚିକିଟି ବ୍ଲକ କେ.ନୂଆଗାଁ ଥାନା ଅନ୍ତର୍ଗତ ମାଉଁଦପୁର,ଜେନାପୁର,କରବାଲୁଆରେ ବିଷାକ୍ତ ଦେଶୀ ମଦ ପି’୨୦ ରୁ ଉର୍ଧ୍ଵ ବ୍ୟକ୍ତି ଅସୁସ୍ଥ ହୋଇ ପଡ଼ିଥିଲେ । ସେମାନଙ୍କୁ ପ୍ରଥମେ ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା । ସେଠାରୁ ୧୩ ଜଣଙ୍କର ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ଏମକେସିଜି କୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ଆଇସିୟୁରେ ରହି ଚିକିତ୍ସାଧୀନ ଅବସ୍ଥାରେ ଜେନାପୁର ଅଂଚଳର ଜୁର ବେହେରା ଏବଂ ଲୋକନାଥ ବେହେରାଙ୍କର ମୃତ୍ୟୁ ଘଟିଥିଲା । ବର୍ତ୍ତମାନ ଆଇସିୟୁରେ ଆଉ ୨ ଜଣଙ୍କର ଚିକିତ୍ସା ଚାଲିଥିବାବେଳେ ହସ୍ପିଟାଲ ବେଡ଼ରେ ଅନ୍ୟ ୮ ଜଣଙ୍କର ଚିକିତ୍ସା ଜାରି ରହିଛି ।

ସେପଟେ ଆଜି ଗଞ୍ଜାମ ଗସ୍ତରେ ଯାଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ପ୍ରଥମେ ଗଞ୍ଜାମ ଯାଇ ମଦ ମୃତ୍ୟୁ ଘଟଣାର ସ୍ଥିତି ଅନୁଧ୍ୟାନ କରିବା ପରେ ୪ ଟା ବେଳେ ବ୍ରହ୍ମପୁର ଏମକେସିଜି ଯାଇ ଅସୁସ୍ଥଙ୍କୁ ଭେଟିବେ ।