ପତାକା ଉତ୍ତୋଳନ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ । ପତାକା ଉତ୍ତୋଳନ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ସମ୍ମାନିତ ଅତିଥି ଭାବେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ପୋଲିସ ବ୍ୟାଣ୍ତ ଦ୍ୱାରା ଜାତୀୟ ସଙ୍ଗୀତ ବାଦନ ପରେ ସୀମା ସୁରକ୍ଷା ବାହିନୀ, କେନ୍ଦ୍ରୀୟ ରିଜର୍ଭ ପୋଲିସ, ଏସଏସ୍ ବାଟାଲିୟନ୍, ଏସ୍.ଓ.ଜି, ଅଗ୍ନିଶମ ବାହିନୀ, ଓଡ଼ିଶା ବିପର୍ଯ୍ୟୟ ତ୍ୱରିତ କାର୍ଯ୍ୟର୍ବାହୀ ଦଳ ପରେଡରେ ଅଂଶଗ୍ରହଣ କରିଥଛନ୍ତି ।

କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାଜ୍ୟସ୍ତରୀୟ ପରେଡ ଅନୁଷ୍ଠିତ ହୋଇଯାଇଛି। ସୁରକ୍ଷା କାରଣରୁ ଗାନ୍ଧୀମାର୍ଗକୁ ଯୋଡୁଥିବା ସମସ୍ତ ମାର୍ଗକୁ ସିଲ କରିଦିଆଯାଇଥିଲା। ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟପାଳ ସକାଳ ୮.୨୮ ରେ ପହଞ୍ଚିବା ପରେ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା ଓ ପୁଲିସ୍ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ତାଙ୍କୁ ମଞ୍ଚ ନିକଟକୁ ପାଛୋଟି ନେଇଥିଲେ। ୮.୩୦ ମିନିଟରେ ମୁଖ୍ୟ ଅତିଥି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଜାତୀୟ ପତାକା ଉତ୍ତୋଳନ କରିଥିଲେ।

କେସିଙ୍ଗାର ଏସଡିପିଓ ୟଶ ପ୍ରତାପ ଶ୍ରୀମାଲ ଏଥରର ପରେଡର ନେତୃତ୍ୱ ନେଇଛନ୍ତି। ଚଳିତ ବର୍ଷ ପ୍ରଥମ ଥର ପାଇଁ ଆନ୍ଧ୍ର ପୁଲିସର ଏକ ଟ୍ରୁପ୍ ପରେଡରେ ସାମିଲ ହୋଇଛି। ସୈନିକ ସ୍କୁଲ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଏହି ପରେଡରେ ସାମିଲ ହୋଇଛନ୍ତି। ଭାରତ ସ୍କାଉଟ୍ ଆଣ୍ଡ ଗାଇଡର ଦୁଇଟି ପ୍ଲାଟୁନ୍ ବି ଏଥିରେ ପରେଡ ପ୍ରଦର୍ଶନ କରିଛନ୍ତି। ବାଇକରେ ଡେୟାରଡେଭିଲର ଦୁଃସାହସିକ କଳା ପ୍ରଦର୍ଶନ ଏହି କାର୍ୟ୍ୟକ୍ରମର ଥିଲା ମୁଖ୍ୟ ଆକର୍ଷଣ। ଓଡ଼ିଶା ସରକାରଙ୍କର ପ୍ରମୁଖ ବିଭାଗର ୮ଟି ପ୍ରଜ୍ଞାପନ ମେଢ ଓ ସ୍କେଟିଂ ଏକାଡେମି ପକ୍ଷରୁ ସ୍କେଟିଂ ପ୍ରଦର୍ଶନ କରାଯାଇଛି। ରାଜ୍ୟର ଲୋକ କଳା, ପାରମ୍ପରିକ ବାଦ୍ୟ ମଧ୍ୟ ପ୍ରଦର୍ଶିତ ହୋଇଛି।