ନୂଆଦିଲ୍ଲୀ : ୮ମ ବେତନ କମିଶନ ଲାଗୁହେବା ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଶୁକ୍ରବାର କେନ୍ଦ୍ର କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା (ଡିଏ) ଏବଂ ପେନସନ୍ଭୋଗୀଙ୍କ ପାଇଁ ମହଙ୍ଗା ରିଲିଫ୍ (ଡିଆର୍)ରେ ୨% ବୃଦ୍ଧି ସମ୍ପର୍କୀତ ପ୍ରସ୍ତାବକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ଶୁକ୍ରବାର (୨୮ ମାର୍ଚ୍ଚ) ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଡିଏ/ଡିଆର୍ ବୃଦ୍ଧି ସମ୍ପର୍କୀତ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଜୁଲାଇ ୨୦୨୪ରେ, ସରକାର ଏହାକୁ ୩% ବୃଦ୍ଧି କରିଥିଲେ। ତେବେ ଏହି ବୃଦ୍ଧି ସହିତ, ମହଙ୍ଗା ଭତ୍ତା ୫୩%ରୁ ୫୫%କୁ ବୃଦ୍ଧି ପାଇଛି। ଏହା ଦ୍ୱାରା ପ୍ରାୟ ୪୮ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ୬୬ ଲକ୍ଷ ପେନସନଭୋଗୀ ଉପକୃତ ହେବେ। ଅଷ୍ଟମ ବେତନ କମିଶନ ଲାଗୁ ହେବା ପୂର୍ବରୁ କେନ୍ଦ୍ର ସରକାରଙ୍କ ଡିଏ/ଡିଆରରେ ୨% ବୃଦ୍ଧି ନିଷ୍ପତ୍ତକୁ ଏବେ ଚାରିଆଡୁ ସ୍ୱାଗତ କରାଯାଉଛି। ତେବେ ଏହି ବର୍ଦ୍ଧିତ ଡିଏ/ଡିଆର୍ ୧ ଜାନୁଆରୀ, ୨୦୨୫ରୁ ପିଛିଲା ଭାବେ କାର୍ଯ୍ୟକାରୀ ହେବ। ଡିଏ ଘୋଷଣାରେ ବିଳମ୍ବ ହୋଇଥିଲା, ତେଣୁ ଏପ୍ରିଲ ମାସର ଦରମାରେ ଗତ ୩ମାସ (ଜାନୁଆରୀ-ମାର୍ଚ୍ଚ ୨୦୨୫)ର ବକେୟା ସହିତ ବର୍ଦ୍ଧିତ ଡିଏ ଅନ୍ତର୍ଭୁକ୍ତ ହେବ। ସାଧାରଣତଃ ମହଙ୍ଗା ଭତ୍ତା ବୃଦ୍ଧି ୩% ରୁ ୪% ମଧ୍ୟରେ ହୋଇଥାଏ। କିନ୍ତୁ ଏଥର ବୃଦ୍ଧି ମାତ୍ର ୨% ହୋଇଛି। ଏହା ଗତ ୭ବର୍ଷ ମଧ୍ୟରେ ସବୁଠାରୁ ସର୍ବନିମ୍ନ। ସରକାର ସାଧାରଣତଃ ହୋଲି ଏବଂ ଦୀପାବଳି ଭଳି ପ୍ରମୁଖ ପର୍ବପର୍ବାଣୀ ପୂର୍ବରୁ ଏହି ବୃଦ୍ଧି ସମ୍ପର୍କରେ ଘୋଷଣା କରିଥାନ୍ତି। ତେବେ ଏଥର ହୋଲି ପରେ ଘୋଷଣା କରାଯାଇଥିଲା। ପ୍ରକାଶ, ପ୍ରତି ୧୦ବର୍ଷରେ ପେ’ କମିଶନ ଦ୍ୱାରା ମୂଳ ଦରମା ସ୍ଥିର କରାଯାଏ। କିନ୍ତୁ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ମଧ୍ୟରେ ସରକାରୀ କର୍ମଚାରୀ ଏବଂ ପେନସନ୍ଭୋଗୀଙ୍କ ଜୀବନଧାରଣ ମାନ ବଜାୟ ରଖିବା ପାଇଁ ମହଙ୍ଗା ଭତ୍ତା (ଡିଏ/ଡିଆର୍) ପ୍ରଦାନ କରାଯାଏ। ଡିଏ ହାର ଅଲ୍ ଇଣ୍ଡିଆ କଞ୍ଜ୍ୟୁମର ପ୍ରାଇସ୍ ଇଣ୍ଡେକ୍ସ (ସିପିଆଇ) ଉପରେ ଆଧାର କରି ନିର୍ଣ୍ଣୟ କରାଯାଏ, ଏବଂ ପ୍ରତି ୬ ମାସରେ ଏହାକୁ ଅପଡେଟ୍ କରାଯାଏ। ଶେଷ ଥର ପାଇଁ ଜୁଲାଇ ୨୦୨୪ରେ ଡିଏ ୫୦%ରୁ ୫୩%କୁ ବୃଦ୍ଧି କରାଯାଇଥିଲା। କେନ୍ଦ୍ର ସରକାର, କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ବର୍ଷକୁ ଦୁଇଥର ବୃଦ୍ଧି କରନ୍ତି। ଗୋଟିଏ ବୃଦ୍ଧି ଜୁଲାଇରୁ କାର୍ଯ୍ୟକାରୀ ହୁଏ ଏବଂ ଅନ୍ୟ ଏକ ବୃଦ୍ଧି ଜାନୁଆରି ୧ରୁ କାର୍ଯ୍ୟକାରୀ ହୁଏ। ଏଥର ବୃଦ୍ଧି ଜାନୁଆରି ୧ରୁ କାର୍ଯ୍ୟକାରୀ ହେବ। ଭାରତରେ ମୁ୍ଖ୍ୟତଃ ଦୁଇ ପ୍ରକାରର ମୁଦ୍ରାସ୍ଫୀତି ପ୍ରଚଳିତ ହୋଇଆସୁଛି। ଗୋଟିଏ ହେଉଛି ଖୁଚୁରା ମୁଦ୍ରାସ୍ଫୀତି ଏବଂ ଅନ୍ୟଟି ହେଉଛି ପାଇକାରୀ ମୁଦ୍ରାସ୍ଫୀତି। ଖୁଚୁରା ମୁଦ୍ରାସ୍ଫୀତି ହାର ସାଧାରଣ ଗ୍ରାହକଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ମୂଲ୍ୟ ଉପରେ ଆଧାରିତ। ଏହାକୁ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ମଧ୍ୟ କୁହାଯାଏ।