ସମ୍ଭାବ୍ୟ ବାତ୍ୟା ନେଇ ଭାରତୀୟ ପାଣିପାଗ ବିଭାଗର ସୂଚନା,ବାତ୍ୟା ପାଇଁ ସରକାର ପ୍ରସ୍ତୁତ: ସୁରେଶ ପୂଜାରୀ

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ। ଆସନ୍ତା ୨୬ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା। ଆଉ ୨୮ ତାରିଖ ସକାଳେ ଏହା ଛୁଇଁ ପାରେ ସ୍ଥଳଭାଗ।ଏହାର ପ୍ରଭାବରେ ଓଡ଼ିଶା ଓ ପଡ଼ୋଶୀ ଆନ୍ଧ୍ର ସମେତ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି। ୨୬ ତାରିଖରୁ ଓଡ଼ିଶାରେ ବର୍ଷା ଆରମ୍ଭ ହେବ। ୨୭ ତାରିଖ ବେଳକୁ ଏହାର ତୀବ୍ରତା ବଢ଼ିବ। ବର୍ଷା ସାଙ୍ଗକୁ ପବନର ବେଗ ସର୍ବାଧିକ ୯୦ କିମି ରହିପାରେ। ପୂର୍ବରୁ ବିଭିନ୍ନ ଘରୋଇ ପାଣିପାଗ ସଂସ୍ଥା ବାତ୍ୟାର ଆକଳନ କରିଥିଲେ। ଏବେ ପ୍ରଥମଥର ପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବାତ୍ୟାକୁ ନେଇ ପୂର୍ବାନୁମାନ କରାଯାଇଛି। ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କହିବା କଥା ଯେ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ବର୍ତ୍ତମାନ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ସମୟକ୍ରମେ ଅଧିକ ଘନୀଭୂତ ହେବ। ଆସନ୍ତାକାଲି ସୁଦ୍ଧା ଏହି ଲଘୁଚାପ ଅବପାତ ଓ ୨୫ ବେଳକୁ ଗଭୀର ଅବପାତର ରୂପ ନେବ।ଗଭୀର ଅବପାତ ଆହୁରି ଘନୀଭୂତ ହୋଇ ୨୬ ତାରିଖରେ ବାତ୍ୟାର ରୂପ ନେବ।ସମ୍ଭାବ୍ୟ ବାତ୍ୟାକୁ ନେଇ ଆଗୁଆ ସତର୍କତା ଓ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେଇ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ଓଡ଼ିଶାବାସୀ ବିଚଳିତ ହେବାର ଆବଶ୍ୟକତା ନାହିଁ । ସରକାର ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି । ସମ୍ଭାବ୍ୟ ବାତ୍ୟାକୁ ନେଇ ଏବେ ସମସ୍ତଙ୍କ ନଜର ଆଇଏମଡିର ପରବର୍ତ୍ତୀ ପାଣିପାଗ ଆକଳନ ଉପରେ ରହିଛି । ଆଧିକାରିକ ସୂଚନା ଆସିବା ପରେ ବାତ୍ୟାର ପ୍ରକୃତ ସ୍ଥିତି ଓ ଓଡ଼ିଶା ଉପରେ ଏହାର ସମ୍ଭାବ୍ୟ ପ୍ରଭାବ ସମ୍ପର୍କରେ ଅଧିକ ସ୍ପଷ୍ଟତା ମିଳିପାରିବ ।