ମୁକ୍ତ, ନିରାପଦ, ବିଶ୍ଵସନୀୟ ଓ ଉତ୍ତରଦାୟୀ ଇଣ୍ଟରନେଟ୍‌ ସେବା ପାଇଁ ସରକାରଙ୍କ ପଦକ୍ଷେପ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥ ମାର୍ଗଦର୍ଶିକା ଓ ଡିଜିଟାଲ ମିଡିଆ ଆଚାର ସଂହିତା) ନିୟମାବଳୀ ୨୦୨୧ରେ ସଂଶୋଧନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ୨୮ ଅକ୍ଟୋବର, ୨୦୨୨ରେ ଏ ସମ୍ପର୍କରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଅବସରରେ ଗଣମାଧ୍ୟମକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ର ଶେଖର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତୀୟ ନାଗରିକଙ୍କ ସାମ୍ବିଧାନିକ ଅଧିକାରର ସୁରକ୍ଷା ପାଇଁ ସୁନିଶ୍ଚିତ ପଦକ୍ଷେପ ଗ୍ରହଣ କରାଯାଉଛି । ଦେଶ ନିଜ ନାଗରିକଙ୍କ ଏବଂ ଡିଜିଟାଲ ନାଗରିକଙ୍କ ଅଧିକାରକୁ ସୁରକ୍ଷା ଦେବା ଲାଗି ଏକ ଟ୍ରଷ୍ଟି ଭାବେ କାମ କରୁଛି । ମୁକ୍ତ, ନିରାପଦ, ବିଶ୍ଵସନୀୟ ଓ ଉତ୍ତରଦାୟୀ ଇଣ୍ଟରନେଟ୍‌ ସେବା ସୁନିଶ୍ଚିତ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ବରୂପ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ପକ୍ଷରୁ ଏହି ସଂଶୋଧନ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ ଦେଶର ଡିଜିଟାଲ ନାଗରିକଙ୍କ ଅଧିକାର ସୁରକ୍ଷା ପ୍ରତି ଗୁରୁତ୍ବାରୋପ କରାଯାଇଛି ।  ଆପତ୍ତିଜନକ ବିଷୟବସ୍ତୁ କିମ୍ବା ବ୍ୟବହାରକାରୀ ବା ୟୁଜରଙ୍କ ଆକାଉଣ୍ଟ ବାତିଲ କରିବା ସଂକ୍ରାନ୍ତରେ ଆସୁଥିବା ଅଭିଯୋଗ ସଂକ୍ରାନ୍ତରେ ମଧ୍ୟସ୍ଥ (ଇଣ୍ଟରମିଡିଆରୀ)ଙ୍କ ନିଷ୍କ୍ରିୟତା ଏବଂ ପଦକ୍ଷେପ ସଂକ୍ରାନ୍ତରେ କେତେକ ଅଭିଯୋଗ ଆସିଥିଲା। ୟୁଜରଙ୍କ ହିତ ରକ୍ଷା ଉଦ୍ଦେଶ୍ୟରେ ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥ ମାର୍ଗଦର୍ଶିକା ଓ ଡିଜିଟାଲ ମିଡିଆ ଆଚାର ସଂହିତା) ନିୟମାବଳୀ ୨୦୨୧ରେ ସଂଶୋଧନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ନୂଆ ନିୟମ କାର୍ଯ୍ୟକାରୀ ହେଲେ ମଧ୍ୟସ୍ଥମାନଙ୍କୁ ଉଦ୍ଦେଶ୍ୟମୂଳକ ପାଇଁ ପ୍ରସାରିତ କରାଯାଇଥିବା କୌଣସି ମିଥ୍ୟା ସୂଚନା କିମ୍ବା ଆପତ୍ତିଜନକ ସୂଚନାର ପ୍ରସାର ଉପରେ ଅଙ୍କୁଶ ଲଗାଇବା ପାଇଁ ଉତ୍ତରଦାୟୀ ରହିବେ । ଫଳରେ ମଧ୍ୟସ୍ଥମାନଙ୍କୁ ଏହା ଗୁରୁତ୍ୱପୂର୍ଣ୍ଣ ଭାବେ ଉତ୍ତରଦାୟୀ କରିବ । ମଧ୍ୟସ୍ଥମାନେ ଭାରତୀୟ ସମ୍ବିଧାନର ଧାରା ୧୪, ୧୯ ଓ ୨୧ ଅଧୀନରେ ଭାରତୀୟ ନାଗରିକମାନଙ୍କୁ ପ୍ରଦାନ କରାଯାଇଥିବା ଅଧିକାରକୁ ସମ୍ମାନ ଜଣାଇବେ । ନୂଆ ନିୟମ ବିଷୟରେ ସୂଚନା ଦେଇ ରାଜୀବ ଚନ୍ଦ୍ରଶେଖର କହିଥିଲେ ଯେ ଏସବୁ ସଂଶୋଧନ ଆମ ଡିଜିଟାଲ ନାଗରିକମାନଙ୍କ ପାଇଁ ଇଣ୍ଟରନେଟକୁ ଅଧିକ ମୁକ୍ତ, ନିରାପଦ, ବିଶ୍ଵସନୀୟ ଓ ଉତ୍ତରଦାୟୀ  କରିବ । ସେ କହିଛନ୍ତି ଯେ ଇଣ୍ଟରନେଟକୁ ନିରାପଦ ଓ ବିଶ୍ଵସନୀୟ ରଖିବା ଲାଗି ସାଧାରଣ ଲକ୍ଷ୍ୟ ହାସଲ କରିବା ନିମନ୍ତେ ସରକାର ମଧ୍ୟସ୍ଥମାନଙ୍କ ସହିତ ସହଯୋଗ ସ୍ଥାପନ କରି କାର୍ଯ୍ୟ କରିବାକୁ ଚାହୁଁଛନ୍ତି । ସବୁ ଭାରତୀୟଙ୍କ ପାଇଁ ଇଣ୍ଟରନେଟକୁ ନିରାପଦ ଓ ବିଶ୍ଵସନୀୟ କରିବା ଲାଗି ସରକାର ଓ ମଧ୍ୟସ୍ଥଙ୍କ ମଧ୍ୟରେ ଏକ ନୂଆ ଭାଗିଦାରୀ ପାଇଁ ଏହି ନିୟମାବଳୀରେ ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ଚନ୍ଦ୍ରଶେଖର ଆଶ୍ବାସନା ଦେଇଥିଲେ । ନିୟମରେ ସଂଶୋଧନ ମନ୍ତ୍ରଣାଳୟର ୱେବସାଇଟ୍‌ ଏବଂ https://egazette.nic.in/WriteReadData/2022/239919.pdf ରେ ଉପଲବ୍ଧ ରହିଛି । ବର୍ତ୍ତମାନ ମଧ୍ୟସ୍ଥ ବା ଇଣ୍ଟରମିଡିଆରୀମାନେ କେତେକ କଣ୍ଟେଣ୍ଟ ବା ବିଷୟବସ୍ତୁ ଅପଲୋଡ୍‌ ନକରିବା ସମ୍ପର୍କରେ ୟୁଜରଙ୍କୁ କେବଳ ସୂଚିତ କରିବା ଜରୁରୀ । କିନ୍ତୁ ନୂଆ ସଂଶୋଧନରେ ମଧ୍ୟସ୍ଥମାନଙ୍କୁ ଆଇନଗତ ଭାବେ ଏଥିପାଇଁ ଉତ୍ତରଦାୟୀ କରାଯାଇଛି । ଏଭଳି କଣ୍ଟେଣ୍ଟ କାହିଁକି ଅପଲୋଡ୍‌ କରାଗଲା ନାହିଁ ସେ ସମ୍ପର୍କରେ ମଧ୍ୟସ୍ଥମାନେ ୟୁଜରଙ୍କୁ ଉପଯୁକ୍ତ କାରଣ ଦର୍ଶାଇବେ । ନୂଆ ବ୍ୟବସ୍ଥା ଏହା ମଧ୍ୟ ସୁନିଶ୍ଚିତ କରିବ ଯେ ମଧ୍ୟସ୍ଥମାନଙ୍କର ଉତ୍ତରଦାୟିତ୍ୱ କେବଳ ଏକ ଔପଚାରିକତା ନୁହେଁ, ବରଂ ସେମାନେ ଆପତ୍ତିଜନକ କଣ୍ଟେଣ୍ଟ ଉପଲୋଡକୁ ରୋକିବା ପାଇଁ ଦାୟିତ୍ବସମ୍ପନ୍ନ ପଦକ୍ଷେପ ନେବେ । ମଧ୍ୟସ୍ଥମାନଙ୍କର ବିଭିନ୍ନ ନିୟମ ଓ କଟକଣା ସମ୍ପର୍କରେ ୟୁଜରଙ୍କୁ ଜଣାଇବା ଲାଗି ଭାରତୀୟ ଭାଷାରେ ସେମାନଙ୍କୁ ସୂଚନା ଦେବା ଜରୁରି । ସଂଶୋଧିତ ନିୟମ ୩(୧) (ବି)(ii)କୁ ଅଧିକ ଯୁକ୍ତସଂଗତ କରାଯାଇଛି ଏବଂ ଏଥିରେ ଥିବା ଦୁଇଟି ଶବ୍ଦ defamatory (ଅପମାନଜନକ) ଏବଂ libelous (ନିନ୍ଦନୀୟ)କୁ ବାଦ୍‌ ଦିଆଯାଇଛି । କୌଣସି କଣ୍ଟେଣ୍ଟ ବା ବିଷୟବସ୍ତୁ ଅପମାନଜନକ ଏବଂ ନିନ୍ଦନୀୟ କି ନୁହେଁ ତାହା ନ୍ୟାୟିକ ସମୀକ୍ଷା ଦ୍ବାରା ନିର୍ଦ୍ଧାରଣ କରାଯିବ । ମିଥ୍ୟା ସୂଚନା, ବିଭିନ୍ନ ଧର୍ମ ଓ ଜାତି ସମ୍ପ୍ରଦାୟ ମଧ୍ୟରେ ହିଂସା ଉଦ୍ରେକକାରୀ ବିଷୟବସ୍ତୁ ପ୍ରସାର ଉପରେ ନିୟନ୍ତ୍ରଣ କରିବା ଲାଗି ସଂଶୋଧିତ ନିୟମ ୩(୧)(ବି)ରେ କେତେକ ବିଷୟବସ୍ତୁ ଶ୍ରେଣୀକୁ ପୁନଃପରିଭାଷିତ କରାଯାଇଛି । ସମ୍ବିଧାନର ନିୟମ ଅନୁଯାୟୀ, ମଧ୍ୟସ୍ଥମାନେ ୟୁଜରଙ୍କ ଅଧିକାର ସୁରକ୍ଷାର ଗ୍ୟାରେଣ୍ଟି ଦେବେ । ସେମାନଙ୍କ କାର୍ଯ୍ୟ ଅନୁଯାୟୀ ଉଚିତ୍‌ ପ୍ରତ୍ୟାଶା, ଗୋପନୀୟତାକୁ ସମ୍ମାନ ଜଣାଇବେ ଏବଂ ପାରଦର୍ଶିତା ସୁନିଶ୍ଚିତ କରିବେ । ୟୁଜରଙ୍କ ଅଭିଯୋଗ ଉପରେ ମଧ୍ୟସ୍ଥଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ନିଷ୍ପତ୍ତି କିମ୍ବା ନିଷ୍କ୍ରିୟତା ବିରୋଧରେ ଆବେଦନ କରିବା ଲାଗି ଅଭିଯୋଗ ଆବେଦନ କମିଟି ପ୍ରତିଷ୍ଠା କରାଯିବ । ୟୁଜର ଚାହିଁଲେ କୋର୍ଟ ଙ୍କ ଦ୍ୱାରସ୍ଥ ମଧ୍ୟ ହୋଇପାରିବେ ।

Government initiatives for freesecure