ଜୁଲାଇ ୧ରୁ ସରକାରୀ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଚେତାବନୀ, ସମୂହ ଇସ୍ତଫା ପାଇଁ ପ୍ରସ୍ତୁତ OMSA

ଭୁବନେଶ୍ୱର: ରାଜ୍ୟର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ବଡ଼ ସଙ୍କଟ ଦେଖାଦେଇଛି। ଦୀର୍ଘ ଦିନରୁ ପଡ଼ି ରହିଥିବା ୧୦ ଦଫା ଦାବି ପୂରଣ ନ ହେବାରୁ ଆସନ୍ତା ଜୁଲାଇ ୧ରୁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛି ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ (OMSA)। ଏହାସହ ଦାବି ପୂରଣ ନହେଲେ ସରକାରୀ ଡାକ୍ତରମାନେ ସମୂହ ଇସ୍ତଫା ଦେବାକୁ ମଧ୍ୟ ପ୍ରସ୍ତୁତ ଥିବା ସଂଘ ପକ୍ଷରୁ ସୂଚନା ମିଳିଛି। OMSA ପକ୍ଷରୁ କୁହାଯାଇଛି ଯେ, କ୍ୟାଡର ପୁନର୍ଗଠନ, ଲେଭେଲ-୧୫ ପେ-ସ୍କେଲ ଉଚ୍ଛେଦ, ସ୍ୱଚ୍ଛ ବଦଳି ନୀତି, କେବିକେ (KBK) ଏକ୍ସିଟ୍ ପଲିସି, ଦନ୍ତ ଚିକିତ୍ସକଙ୍କ ପାଇଁ ପ୍ରୋତ୍ସାହନ, ଡାକ୍ତରଙ୍କ ପାଇଁ ବୀମା ସୁବିଧା ଓ ସୁରକ୍ଷା ବ୍ୟବସ୍ଥା ସମେତ ୧୦ ଦଫା ଦାବି ନେଇ ବହୁବାର ସରକାରଙ୍କ ସହ ଆଲୋଚନା ହୋଇଛି। କିନ୍ତୁ ଏପର୍ଯ୍ୟନ୍ତ ଏ ଦିଗରେ କୌଣସି ଦୃଶ୍ୟମାନ ପଦକ୍ଷେପ ନିଆଯାଇ ନାହିଁ। ଏହାର ପ୍ରତିବାଦରେ ଜୁଲାଇ ୧ରୁ ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତରମାନେ ସେବା ବନ୍ଦ କରିବେ ବୋଲି ସଂଘ ସ୍ପଷ୍ଟ କରିଛି। ଓମସାର ଏହି ଘୋଷଣା ପରେ ରାଜ୍ୟର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।

Government doctors' strike warning from July 1