ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଲାଗି ରହିଥିବା ଯୁଦ୍ଧ ଓ ସଂଘର୍ଷ ଯୋଗୁଁ ବିଶ୍ୱ ଯୋଗାଣ ଶୃଙ୍ଖଳା (Global Supply Chain) ବାଧାପ୍ରାପ୍ତ ହୋଇଛି। ଏହାର ପ୍ରଭାବରୁ ଘରୋଇ ଶିଳ୍ପକୁ ରକ୍ଷା କରିବା ପାଇଁ ଭାରତ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ ପେଟ୍ରୋକେମିକାଲ୍ ଉତ୍ପାଦଗୁଡ଼ିକ ଉପରେ ଆସନ୍ତା ଜୁନ୍ ୩୦, ୨୦୨୬ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୀମା ଶୁଳ୍କ (Customs Duty) ଛାଡ଼ କରିବାକୁ ନିଷ୍ପତ୍ତି ନିଆଯାଇଛି। ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଘରୋଇ ଶିଳ୍ପ ପାଇଁ ଆବଶ୍ୟକ ହେଉଥିବା ପେଟ୍ରୋକେମିକାଲ୍ ଇନପୁଟ୍ଗୁଡ଼ିକର ନିରନ୍ତର ଯୋଗାଣ ସୁନିଶ୍ଚିତ ହେବ। ବିଶେଷ କରି ଡାଉନଷ୍ଟ୍ରିମ୍ କ୍ଷେତ୍ରଗୁଡ଼ିକ ଉପରେ ରହିଥିବା ଅତିରିକ୍ତ ମୂଲ୍ୟ ଚାପକୁ ହ୍ରାସ କରିବା ଏବଂ ଦେଶର ବଜାରରେ ସ୍ଥିରତା ବଜାୟ ରଖିବା ପାଇଁ ଏହି ଅସ୍ଥାୟୀ ରିହାତି ପ୍ରଦାନ କରାଯାଇଛି। ପ୍ଲାଷ୍ଟିକ୍, ପ୍ୟାକେଜିଂ, ବୟନଶିଳ୍ପ, ଔଷଧ, ରାସାୟନିକ ପଦାର୍ଥ, ଅଟୋମୋଟିଭ୍ ଉପାଦାନ ଭଳି ମଧ୍ୟବର୍ତ୍ତୀ ଉତ୍ପାଦ, ସୀମା ଶୁଳ୍କ ଛାଡ଼ ହେବା ଫଳରେ ପେଟ୍ରୋକେମିକାଲ୍ ଫିଡ୍ଷ୍ଟକ୍ ସହିତ ଜଡ଼ିତ ଏକାଧିକ କ୍ଷେତ୍ର ଲାଭବାନ ହେବେ।