କେନ୍ଦ୍ରୀୟ କର୍ମଚାରୀଙ୍କୁ ଦୀପାବଳୀ ବୋନସ୍‌ ଘୋଷଣା କଲେ ସରକାର

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କ ନିମନ୍ତେ ୩୦ ଦିନିଆ ଅଣ-ଉତ୍ପାଦନଶୀଳତା ଲିଙ୍କ୍ଡ (ଆଡ-ହକ୍) ବୋନସ୍ ମଞ୍ଜୁର କରିଛନ୍ତି। ଏହି ବୋନସ୍ ଗଣନା ମାସିକ ୭,୦୦୦ ଟଙ୍କାର ଦରମା ସୀମା ଆଧାରରେ କରାଯାଇଛି।ଏହି ନିୟମ ଅନୁସାରେ, ଯଦି ଜଣେ କର୍ମଚାରୀଙ୍କ ହାରାହାରି ମାସିକ ଦରମା ୭,୦୦୦ ଟଙ୍କା କିମ୍ବା ତା’ଠାରୁ ଅଧିକ, ତେବେ ସେମାନେ ୩୦ ଦିନ ପାଇଁ ସର୍ବାଧିକ ୬,୯୦୮ ଟଙ୍କା ବୋନସ୍ ପାଇବେ। ଅନ୍ୟପଟେ, ଯେଉଁ କର୍ମଚାରୀମାନଙ୍କର ହାରାହାରି ମାସିକ ଦରମା ଏହି ନିର୍ଦ୍ଧାରିତ ସୀମାଠାରୁ କମ୍, ସେମାନଙ୍କୁ ସେହି ଅନୁପାତରେ କମ୍ ବୋନସ୍ ରାଶି ପ୍ରଦାନ କରାଯିବ। ଅର୍ଥ ମନ୍ତ୍ରଣାଳୟ ଅଧୀନସ୍ଥ ବ୍ୟୟ ବିଭାଗ ପକ୍ଷରୁ  ଜାରି ଏକ କାର୍ଯ୍ୟାଳୟ ସ୍ମାରକପତ୍ର ମାଧ୍ୟମରେ ଏହି ବୋନସ୍ ପ୍ରଦାନ ପାଇଁ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଥିବା ଘୋଷଣା କରାଯାଇଛି। ଏହି ସୁବିଧା ‘ଗ୍ରୁପ୍-ସି’  ଏବଂ ‘ଗ୍ରୁପ୍-ବି’ ର ସେହି ଅଣ-ଗେଜେଟେଡ୍ କର୍ମଚାରୀମାନଙ୍କ ପାଇଁ ଲାଗୁ ହେବ, ଯେଉଁମାନେ କୌଣସି ପ୍ରକାର ‘ଉତ୍ପାଦନଶୀଳତା ଲିଙ୍କ୍ଡ ବୋନସ୍’ ଯୋଜନା ଅନ୍ତର୍ଭୁକ୍ତ ନୁହଁନ୍ତି।