ବଢିଲା ଗୋପାଳଙ୍କ ରିମାଣ୍ଡର ଅବଧି

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସଙ୍କ ରିମାଣ୍ଡ ଆଉ ୪ ଦିନ ବଢିଛି । ଗୋପାଳ ଦାସଙ୍କୁ ଆଉ ୪ ଦିନ ରିମାଣ୍ଡରେ ନେବା ପାଇଁ କୋର୍ଟ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି । ଆଜି ଗୋପାଳର ପ୍ରଥମ ଦଫା ରିମାଣ୍ଡ ଶେଷ ହୋଇଥିଲା । ଏହାପରେ ପୁଣି କ୍ରାଇମବ୍ରାଞ୍ଚ ଗୋପାଳ ଦାସଙ୍କୁ ଆଉ ୯ ଦିନ ରିମାଣ୍ଡରେ ନେବା ପାଇଁ କୋର୍ଟଙ୍କୁ ନିବେଦନ କରିଥିଲା । ହେଲେ କୋର୍ଟ ଆଉ ୪ ଦିନ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାରି ହତ୍ୟା କରିଥିବା ପୁଲିସ ଏଏସଆଇ ଗୋପାଳ ଦାସଙ୍କୁ ଗିରଫ କରାଯାଇଛି ବୋଲି କ୍ରାଇମବ୍ରାଞ୍ଚ ସ୍ପଷ୍ଟ କରିଥିଲା । କେଉଁ କାରଣ ପାଇଁ ଗୁଳି କଲେ ଓ ପୂର୍ବ ଶତ୍ରୁତା ଥିଲା କି ନାହିଁ ସେ ନେଇ ତଦନ୍ତ ଚାଲିଛି ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଥିବାବେଳେ ଗୋପାଳ ନବ ଦାସଙ୍କ ପିଏସଓ ନଥିବା ସୂଚନା ଦିଆଯାଇଥିଲା । ଏହାସହ ଘଟଣାସ୍ଥଳର ଯାଞ୍ଚ କରାଯାଇଥିବା ବେଳେ ଅଭିଯୁକ୍ତ ଗୋପାଳ ଦାସଙ୍କୁ ୭ ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରାଯାଇଥିଲା ।

ତେବେ ଗୋପାଳ ଦାସଙ୍କୁ କୋର୍ଟରେ ହାଜର କରାଯିବା ପରେ ଗୋପାଳ ଦାସଙ୍କୁ ୪ ଦିନ ରିମାଣ୍ଡରେ ନେବା ପାଇଁ କୋର୍ଟ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଥିଲେ । ଏଥର ପୁଣି ରିମାଣ୍ଡରେ ଆଣି କ୍ରାଇମବ୍ରାଞ୍ଚ ଗୋପାଳ ଦାସଙ୍କଠାରୁ କେଉଁ କଥା ଆଦାୟ କରୁଛି, ତାହା ଦେଖିବାକୁ ବାକି ରହିଲା ।