ଭାରତୀୟ ରେଳରେ ଅତ୍ୟାଧୁନିକ ଶୌଚାଳୟ ବ୍ୟବସ୍ଥା ପାଇଁ ରେଳ ବିଭାଗ ତରଫରୁ ପଦକ୍ଷେପ ଗ୍ରହଣ କରାଯାଇଛି। ରେଳରେ ଥିବା ପୁରୁଣା ଶୌଚାଳୟକୁ ହଟାଇ ତା’ ସ୍ଥାନରେ ଅତ୍ୟାଧୁନିକ ଶୌଚାଳୟ ବ୍ୟବସ୍ଥା ଖଞ୍ଜାଯିବ। ପରୀକ୍ଷାମୂଳକ ଭାବେ ପ୍ରଥମେ ରାଞ୍ଚି- ରାଜଧାନୀ ଏକ୍ସପ୍ରେସର ଏସି ବଗିରେ ୪ଟି ଅତ୍ୟାଧୁନିକ ଶୌଚାଳୟ ଲଗାଯାଇଛି।
ଏହାର କାର୍ଯ୍ୟକାରିତା ଉପରେ ଦୃଷ୍ଟି ରଖି ଆଗାମୀ ଦିନରେ ଅନ୍ୟ ରେଳରେ ଅତ୍ୟାଧୁନିକ ଶୌଚାଳୟ ଲଗାଯିବାକୁ କାର୍ଯ୍ୟ ହାତକୁ ନିଆଯିବ ବୋଲି ରେଳ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଅତ୍ୟାଧୁନିକ ଶୌଚାଳୟରେ ଉପଯୁକ୍ତ ପରିଚ୍ଛନ୍ନ ବ୍ୟବସ୍ଥା କରାଯିବା ସହ ଦୁର୍ଗନ୍ଧ ରୋକିବାକୁ ବ୍ୟବସ୍ଥା ରହିଛି। ଏଥିସହ ଅନ୍ୟାନ୍ୟ ଉନ୍ନତମାନର ବ୍ୟବସ୍ଥା ଥିବା ରେଳ ବିଭାଗ ତରଫରୁ ଦର୍ଶାଯାଇଛି। ଏହି ଶୌଚାଳୟ ଯେପରି ଚୋରି ନ ହୁଏ ସେଥିପାଇଁ ମଧ୍ୟ ବନ୍ଦୋବସ୍ତ କରାଯାଇଛି।
ଶୌଚାଳୟକୁ ନେଇ ଯାତ୍ରୀଙ୍କ ତରଫରୁ ରେଳବିଭାଗ ନିକଟରେ ଅଭିଯୋଗ କରାଯାଇଥିଲା। ନୂଆ ବ୍ୟବସ୍ଥାରେ ସବୁ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରାଯାଇଥିବା ଜନୈକ ଅଧିକାରୀ ସୂଚନା ଦେଇଛନ୍ତି।