ନୂଆଦିଲ୍ଲୀ: ଭାରତୀୟଙ୍କ ପାଇଁ ଖୁସି ଖବର। ଏଣିକି ଥାଇଲ୍ୟାଣ୍ଡ ଯିବାକୁ ହେଲେ ଦରକାର ପଡ଼ିବନି ଭିଜା। ଭାରତୀୟମାନେ ୩୦ ଦିନ ପାଇଁ ବିନା ଭିସାରେ ଥାଇଲ୍ୟାଣ୍ଡ ପରିଦର୍ଶନ କରିବାକୁ ସକ୍ଷମ ହେବେ। ଏହା ଆସନ୍ତା ମାସରୁ ଆରମ୍ଭ ହେବ ଏବଂ ଏହି ସୁବିଧା ଆସନ୍ତା ବର୍ଷ ମେ’ ପର୍ଯ୍ୟନ୍ତ ଚାଲିବ। ଥାଇଲ୍ୟାଣ୍ଡର ସରକାରୀ ମୁଖପାତ୍ର କହିଛନ୍ତି ଯେ ଭାରତ ଏବଂ ତାଇୱାନରୁ ଆସୁଥିବା ଲୋକଙ୍କ ପାଇଁ ଭିଜା ଆବଶ୍ୟକତା ଛାଡ କରାଯିବ।

ପର୍ଯ୍ୟଟନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଉଛି। ଏହାପୂର୍ବରୁ ସେପ୍ଟେମ୍ବର ମାସରେ ଥାଇଲ୍ୟାଣ୍ଡ ଚାଇନାର ପର୍ଯ୍ୟଟକଙ୍କ ପାଇଁ ଭିସା ଆବଶ୍ୟକତାକୁ ରଦ୍ଦ କରି ଦେଇଥିଲା। ଚାଇନା ପର୍ଯ୍ୟଟକମାନେ ବହୁ ସଂଖ୍ୟାରେ ଥାଇଲ୍ୟାଣ୍ଡକୁ ଯାଆନ୍ତି। ବର୍ତ୍ତମାନ ଥାଇଲ୍ୟାଣ୍ଡରେ ଭାରତୀୟଙ୍କ ପାଇଁ ଆଗମନ ସୁବିଧା ଉପରେ ଗୁରୁତ୍ୱ ଦିଆଯାଉଛି।

ସରକାରୀ ଆକଳନ ଅନୁଯାୟୀ ଜାନୁଆରୀରୁ ଅକ୍ଟୋବର ୨୯ ପର୍ୟ୍ୟନ୍ତ ସମୁଦାୟ ୨୨ ନିୟୁତ ପର୍ଯ୍ୟଟକ ଥାଇଲ୍ୟାଣ୍ଡକୁ ଆସିଥିଲେ। ଏହା ଦେଶର ଅର୍ଥନୀତିରେ ୨୫ ବିଲିୟନ ଡଲାରରୁ ଅଧିକ ଅବଦାନ ଦେଇଛି। ଥାଇ ସରକାରଙ୍କ ମୁଖପାତ୍ର ଚାଇ ୱାଚରଙ୍କେଙ୍କ ଅନୁଯାୟୀ, ଭାରତ ଏବଂ ତାଇୱାନରୁ ଆସୁଥିବା ଲୋକମାନେ ଥାଇଲ୍ୟାଣ୍ଡରେ ୩୦ ଦିନ ରହିପାରିବେ। ସେ କହିଛନ୍ତି ଯେ ଥାଇଲ୍ୟାଣ୍ଡ ପାଇଁ ଚତୁର୍ଥ ବୃହତ୍ତମ ଉତ୍ସ ବଜାର ଭାବରେ ଭାରତ ଉଭା ହୋଇଛି। ଚଳିତ ବର୍ଷ ଭାରତରୁ ପ୍ରାୟ ୧୨ ଲକ୍ଷ ପର୍ଯ୍ୟଟକ ଥାଇଲ୍ୟାଣ୍ଡକୁ ଆସିଛନ୍ତି। ଭାରତ ପୂର୍ବରୁ ଥାଇଲ୍ୟାଣ୍ଡ ପାଇଁ ତିନୋଟି ବୃହତ ପର୍ଯ୍ୟଟନ ଉତ୍ସ ଦେଶ ହେଉଛି ମାଲେସିଆ, ଚୀନ୍ ଏବଂ ଦକ୍ଷିଣ କୋରିଆ।

ବର୍ତ୍ତମାନ ଭାରତର ଯାତ୍ରୀଙ୍କୁ ୨ ଦିନିଆ ଥାଇଲ୍ୟାଣ୍ଡ ଭିସା ପାଇଁ ୨୦୦୦ ଭାଟ (ପ୍ରାୟ ୫୭ ଡଲାର) ଦେବାକୁ ପଡିବ। ଆସନ୍ତା ବର୍ଷ ବିଦେଶୀ ପର୍ଯ୍ୟଟକଙ୍କ ଠାରୁ ରାଜସ୍ବକୁ ୩.୩ ଟ୍ରିଲିୟନ ଭାଟକୁ ବୃଦ୍ଧି କରିବାକୁ ଥାଇଲ୍ୟାଣ୍ଡର ନୂତନ ସରକାର ଲକ୍ଷ୍ୟ ରଖିଛନ୍ତି। ଯେଉଁଥିରେ ଭ୍ରମଣ ଶିଳ୍ପ ସର୍ବୋତ୍ତମ ସ୍ବଳ୍ପକାଳୀନ ଅର୍ଥନୈତିକ ଉତ୍ସାହ ଯୋଗାଇଥାଏ । ବ୍ୟାଙ୍କ ଅଫ ଥାଇଲ୍ୟାଣ୍ଡ ତଥ୍ୟ ଅନୁଯାୟୀ ଜିଡିପିର ପ୍ରାୟ ୧୨% ଏବଂ ଚାକିରିର ଏକ ପଞ୍ଚମାଂଶ ପର୍ଯ୍ୟଟନ ଯୋଗଦାନ କରିଥାଏ।