ଈଶ୍ୱରପ୍ରେମୀ ନବ

ଠାକୁର ପ୍ରେମୀ ନବ ଦାସ । ଏ କଥା ଆମେ କହୁନାହୁଁ, ଏ ଦୃଶ୍ୟ ହିଁ ବୟାନ କରୁଛି ଯେ, କେତେ ଇଶ୍ୱରଙ୍କ ଉପରେ ବିଶ୍ୱାସ କରନ୍ତି ନବ । କେତେବେଳେ ସେ ଭଗବାନଙ୍କ ଗୀତ ଗାଉଛନ୍ତି, ତ କେତେବେଳେ ସେ ବିଭୋର ହୋଇ ନାଚୁଛନ୍ତି, କେତେବେଳେ ମୃଦଙ୍ଗ ବଜାଉଛନ୍ତି, ତ ଆଉ କେତେବେଳେ ସଷ୍ଟାଙ୍ଗ ପ୍ରଣିପାତ କରୁଛନ୍ତି । ଏ ସବୁ ଦୃଶ୍ୟକୁ ଦେଖିଲେ ଲାଗୁଛି ଇଶ୍ୱର ପ୍ରେମୀ ଥିଲେ ନବ କିଶୋର ଦାସ । ନିଜ ଅଞ୍ଚଳରେ ହେଉଥିବା ପ୍ରତ୍ୟେକଟି ପୂଜାରେ ସେ ଯୋଗ ଦେବାକୁ ଚେଷ୍ଟା କରନ୍ତି । ଝାରସୁଗୁଡା ବୃନ୍ଦାମାଲଠାରେ ଆୟୋଜିତ ହୋଇଥିବା ଶ୍ରୀ ଶ୍ରୀ ଜଙ୍ଘା ବଡଦେବଙ୍କ ପୂଜାର୍ଚ୍ଚନା ହେଉ ଅବା ନିକତିମାଲ, ଲାଇକେରାଠାରେ ଲୋକଙ୍କ ଗହଣରେ ମକର ମେଳା ପାଳନ ଅବସର, ସବୁବେଳେ ନିଜକୁ ଠାକୁରଙ୍କ ପୂଜାରେ ସମର୍ପି ଦେଉଥିଲେ ନବ ।

ସେହିପରି ଲଇକେରା ବ୍ଲକର ମୟୁରଡ଼ିମାଠାରେ ଶ୍ରୀ ଶ୍ରୀ ଜଙ୍ଘା ବଡ଼ଦେଓଙ୍କର ବାର୍ଷିକ ମହୋତ୍ସବରେ ଲୋକଙ୍କ ଗହଣରେ ବେଶ ସାଧାରଣ ମଣିଷଟିଏ ଭଳି ଯୋଗ ଦେଇ ପଶ୍ଚିମ ଓଡିଶାବାସୀଙ୍କ ମନୋବଳ ବଢାଇଥିଲେ । ତା ସହ ଅଷ୍ଟପ୍ରହରୀରେ ଗାଁ ବୁଲିବା ହଉ ଅବା ସରବାହଲ ବିଷ୍ଣୁ ମନ୍ଦିର ପ୍ରତିଷ୍ଠା ଅବସରରେ ମୃଦଙ୍ଗ ବଜାଇ ତାଳେ ତାଳେ ନାଚିବା ହେଉ, ଏ ସବୁ ପୂଜା ମହୋତ୍ସବରେ ଯୋଗ ଦେଇ ଚର୍ଚ୍ଚା ରହି ନଥିବା ନବ, କିନ୍ତୁ ଶନିଦେବଙ୍କ ପାଇଁ ବେଶ ଚର୍ଚ୍ଚାରେ ଥିଲେ ।

ଗତ ଶନି ଅମାବାସ୍ୟା ଦିନ ମହାରାଷ୍ଟ୍ରର ଶନି ସିଙ୍ଗନାପୁର ମନ୍ଦିରରେ ସପରିବାର ସହ ଯାଇ ସେଠାରେ ଶନିଦେବଙ୍କୁ ପୂଜାର୍ଚ୍ଚନା କରିବା ସହ କୋଟିଏ ଟଙ୍କାର ସୁନା କଳସ ଦାନ କରିଥିଲେ । ଯାହାକୁ ନେଇ ଚର୍ଚ୍ଚା କମିନଥିଲା । କିନ୍ତୁ ଏ ସବୁ ଚିତ୍ର ଦେଖିଲେ ଲାଗୁଛି, ନବ ଜଣେ ଇଶ୍ୱରପ୍ରେମୀ ଥିଲେ ।