ଜେଲରେ ଗୋବିନ୍ଦ ସାହୁଙ୍କ ମୃତ୍ୟୁ, ଓଏଚଆରସିଙ୍କ ରିପୋର୍ଟ ତଲବ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ମମୀତା ମେହେର ହତ୍ୟାକାଣ୍ଡ ର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲ ରେ ଥାଇ ଆତ୍ମହତ୍ୟା କରିଛି I ଏହି ଘଟଣାକୁ ଗୁରୁତର ସହ ନେଇ ନିଜ ଆଡୁ ମାମଲା କରିଛନ୍ତି ରାଜ୍ୟ ମାନବାଧିକାର କମିଶନ(ଓଏଚ୍‌ଆରସି) ଓ ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଜେଲ୍ ଡିଜି ଏବଂ ବଲାଙ୍ଗିର ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସେପଟେ ଏହି ଘଟଣାକୁ ଗମ୍ଭୀରତାର ସହ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ସୁନୀଲ କୁମାର ବଂଶଲ। କଣ୍ଟାବାଞ୍ଜି ପୋଲିସ ହାତରୁ ତଦନ୍ତ ଭାର ନେଇ କ୍ରାଇମବ୍ରାଞ୍ଚ ଡିଏସ୍‌ପି ବିଜୟ ମଲିକଙ୍କୁ ନେଇ ଗଠିତ ୪ ଜଣିଆ କ୍ରାଇମ୍‌ବ୍ରାଞ୍ଚ ଟିମ୍ ମାମଲାର ତଦନ୍ତ କରିବ। ଏହି ସମୟରେ ଉକ୍ତ ଟିମ୍‌କୁ ସାଇବର ଏକ୍ସପର୍ଟ ଓ ରାଜ୍ୟ ପୁଲିସର ଅଧିକାରୀଙ୍କୁ ନେଇ ଗଠିତ ୧୦ ଜଣିଆ ଟିମ୍‌ ସହାୟତା କରିବେ। ଗୋବିନ୍ଦଙ୍କ ମୃତ୍ୟୁ ନେଇ କଣ୍ଟାବାଞ୍ଜି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ସୂଚନାନୁସାରେ , ଆଜି ସକାଳେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଜେଲ ଭିତରେ ଗୋବିନ୍ଦ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି। ଶୌଚ ହେବାକୁ ଯାଇ ଜେଲ୍ ପରିସରରେ ଥିବା ଏକ ଛୋଟ ଗଛରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲେ ଗୋବିନ୍ଦ I ତାଙ୍କର ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇ କଣ୍ଟାବାଞ୍ଚି ମେଡିକାଲରେ ଭର୍ତ୍ତି କରାଯାଇଥିଲା ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ପୂର୍ବରୁ ଜାମିନ ପାଇଁ ଆବେଦନ କରିଥିବା ଗୋବିନ୍ଦଙ୍କର ଆଜି ସ୍ଥାନୀୟ କୋର୍ଟରେ ହାଜର ହେବାର ଥିଲା। କିନ୍ତୁ ତା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଛି।