ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲା, କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି

ଭୁବନେଶ୍ୱର : ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲ୍‌ରେ ଆତ୍ମହତ୍ୟା କରିବା ପରେ ସାରା ରାଜ୍ୟରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଗୋବିନ୍ଦ ସାହୁଙ୍କର ଜେଲ ଭିତରେ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ହେବ। ଏହି ନିର୍ଦ୍ଦେଶ ଦେଇଛନ୍ତି ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ସୁନୀଲ କୁମାର ବଂଶଲ। ତେବେ ଗୋବିନ୍ଦ ସାହୁର ଆତ୍ମହତ୍ୟା ଘଟଣାରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

ଏଠାରେ ପ୍ରଶ୍ନ ଉଠୁଛି ଜେଲ୍‌ରେ ଏତେ ସୁରକ୍ଷା ମଧ୍ୟରେ କେମିତି ଆତ୍ମହତ୍ୟା କଲେ ଗୋବିନ୍ଦ? ଏହା ଆତ୍ମହତ୍ୟା ନା ଆଉ କିଛି? ଏହା ପଛରେ ରହିଛି କି କିଛି ଷଡ଼ଯନ୍ତ୍ର? ଏଭଳି ଅନେକ ପ୍ରଶ୍ନ ଏବେ ଉଙ୍କି ମାରୁଛି । ଘଟଣାକୁ ଗମ୍ଭୀରତାର ସହ ନେଇ ପୁଲିସ ମହାନିର୍ଦେଶକ ସୁନୀଲ କୁମାର ବଂଶଲ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଛନ୍ତି । ବର୍ତ୍ତମାନ କେଶକୁ କଣ୍ଟାବାଞ୍ଜି ପୋଲିସ ହାତରୁ ନେଇ କ୍ରାଇମବ୍ରାଞ୍ଚ କରିବ ତଦନ୍ତ I କେଉଁ ପରିସ୍ଥିତିରେ ଗୋବିନ୍ଦ ସାହୁର ମୃତ୍ୟୁ ହୋଇଛି, ସେନେଇ ତଦନ୍ତ ହେବ । ଏନେଇ ଜେଲ୍ ଅତିରିକ୍ତ ଡିଜି ଦୀପ୍ତେଶ ପଟ୍ଟନାୟକ ସୂଚନା ଦେଇ କହିଛନ୍ତି, ସମ୍ବଲପୁର ଜେଲ୍ ଡିଆଇଜି ତଦନ୍ତ ପାଇଁ କଣ୍ଟାବାଞ୍ଜି ଯାଇଛନ୍ତି। ସେ ଆମକୁ ରିପୋର୍ଟ ଦେବେ। ଏନଏଚଆରସିର ଗାଇଡଲାଇନ ଅନୁଯାୟୀ ତଦନ୍ତ ହେବ, ଯେଉଁଥିରେ ସବୁ ଦିଗକୁ ନେଇ ତଦନ୍ତ କରାଯିବ। ଅନ୍ୟପଟେ ବିରୋଧୀମାନେ ଏହାର ସିବିଆଇ ତଦନ୍ତ ଦାବି କରି ଆସୁଛନ୍ତି ।

ପୂର୍ବରୁ ଜାମିନ ପାଇଁ ଆବେଦନ କରିଥିବା ଗୋବିନ୍ଦ ସାହୁକୁ ଆଜି ସ୍ଥାନୀୟ ଜେଏମ୍ଏଫସି କୋର୍ଟରେ ହଜାର କରାଯିବାର ଥିଲା I ମାତ୍ର ଏହା ପୂର୍ବରୁ ସକାଳ ୯ଟା ବେଳେ ଶୌଚ ହେବାକୁ ଯିବ କହି ଜେଲ ପରିସର ମଧ୍ୟରେ ଥିବା ରୋଷେଇଘର ପାଖରେ ଥିବା ଏକ ଗଛରେ ଗାମୁଛା ଦେଇ ଝୁଲି ପଡିଥିଲା ଗୋବିନ୍ଦ ସାହୁ I ତୁରନ୍ତ ତାଙ୍କୁ ସେଠାରୁ ଡାକ୍ତରଖାନା ନିଆଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I