ଗୋଆ ବିଧାନସଭା ବାଚସ୍ପତିଙ୍କ ତିନିଦିନିଆ ଓଡ଼ିଶା ଗସ୍ତ : ଓଡ଼ିଶା ବାଚସ୍ପତିଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ

ଗୋଆ ବିଧାନସଭା ବାଚସ୍ପତି ଶ୍ରୀ ରାଜେଶ ପାଟନେକର ତିନିଦିନିଆ ଓଡ଼ିଶା ଗସ୍ତରେ ଆଜି ଭୁବନେଶ୍ୱରରେ ପହଞ୍ଚି ଓଡ଼ିଶା ବିଧାନସଭା ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଓଡ଼ିଶା ବିଧାନସଭା ବାଚସ୍ପତି ଡ଼ଃ ପାତ୍ର ଗୋଆ ବିଧାନସଭା ବାଚସ୍ପତି ଶ୍ରୀ ପାଟନେକରଙ୍କୁ ଉଚ୍ଛ୍ୱସିତ ସମ୍ୱର୍ଦ୍ଧନା ଜ୍ଞାପନ କରିବା ସହ ଓଡ଼ିଶାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ର ପ୍ରଦାନ କରିଥିଲେ । ଗୋଆ ବିଧାନସଭା ବାଚସ୍ପତି ମଧ୍ୟ ଓଡ଼ିଶା ବିଧାନସଭା ବାଚସ୍ପତିଙ୍କୁ ଉତ୍ତରୀୟ ପ୍ରଦାନ ସହ ଶ୍ରୀଗଣେଶଙ୍କ ଫଟୋ ଚିତ୍ର ପ୍ରଦାନ କରିଥିଲେ । ଉଭୟ ବାଚସ୍ପତିଙ୍କ ମଧ୍ୟରେ ଓଡ଼ିଶା ଓ ଗୋଆ ପ୍ରଦେଶର ଇତିହାସ, କଳା, ସଂସ୍କୃତି, ପର୍ଯ୍ୟଟନ ସ୍ଥଳ, ବିଧାନସଭାର କାର୍ଯ୍ୟଶୈଳୀ ପ୍ରଭୃତି ସମ୍ପର୍କରେ ଆଲୋଚନା ହୋଇଥିଲା । ଉଭୟ ବିଧାନସଭାର ବିଭିନ୍ନ କମିଟି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ଗୋଆ ଗସ୍ତରେ ଆସିବାକୁ ମଧ୍ୟ ବାଚସ୍ପତି ଡ଼ଃ ପାତ୍ରଙ୍କୁ ଗୋଆ ବାଚସ୍ପତି ପାଟନେକର ନିମନ୍ତ୍ରଣ କରିଥିଲେ ଏବଂ ବାଟସ୍ପତି ଡ଼ଃ ପାତ୍ର ତାହାକୁ ଗ୍ରହଣ କରିଥିଲେ । ଆସନ୍ତା କାଲି ଏବଂ ଅଗଷ୍ଟ ୦୮ ତାରିଖ ଦିନ ସେ ସପରିବାର ପୁରୀ, କୋଣାର୍କ, ଚିଲିକା ଏବଂ ଅନ୍ୟ ଦର୍ଶନୀୟ ସ୍ଥାନ ପରିଭ୍ରମଣ କରି ଆସନ୍ତା ୦୯ ତାରିଖରେ ଗୋଆ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ସାକ୍ଷାତ ଆଲୋଚନା ସମୟରେ ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ ମଧ୍ୟ ଯୋଗ ଦେଇଥିଲେ ।

Comments (0)
Add Comment