ଇସ୍କନ ମାୟାପୁରୀକୁ ପୁରୀ ଗଜପତି ମହାରାଜାଙ୍କ ବାର୍ତ୍ତା…

ପୁରୀ : ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗରେ ଇସ୍କନ ମାୟାପୁରୀକୁ ଚିଠି ଲେଖି ଉଦବେଗ ପ୍ରକାଶ କରିଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଇସ୍କନ ପରିଚାଳନା ମୁଖ୍ୟ ଗୋବର୍ଦ୍ଧନ ଦାସଙ୍କୁ ଚିଠି ଲେଖିଥିଲେ ଗଜପତି ମହାରାଜା । ଦୀଘା ଜଗନ୍ନାଥ ମନ୍ଦିରକୁ ‘ଶ୍ରୀଜଗନ୍ନାଥ ଧାମ’ ନାମରେ ଉଲ୍ଲେଖ କରାଯାଉଛି । ଜଣାପଡ଼ିଛି ଯେ, ଦୀଘା ଜଗନ୍ନାଥ ମନ୍ଦିରରେ ଇସ୍କନର ପ୍ରତିନିଧିମାନେ ମନ୍ଦିର ଟ୍ରଷ୍ଟ ବୋର୍ଡରେ ଟ୍ରଷ୍ଟି ଭାବେ ନିଯୁକ୍ତ ହୋଇଛନ୍ତି । ଏହାସହ ଇସ୍କନର ପ୍ରତିନିଧିମାନଙ୍କ ତତ୍ତ୍ବାବଧାନରେ ଦୀଘା ଜଗନ୍ନାଥ ମନ୍ଦିରର ସେବାପୂଜା ଅନୁଷ୍ଠିତ ହେଉଛି । ଶ୍ରୀକ୍ଷେତ୍ର ବ୍ୟତୀତ ଆଉ କୌଣସି ସ୍ଥାନ କିମ୍ବା ମନ୍ଦିରକୁ ‘ଜଗନ୍ନାଥ ଧାମ’ କୁହାଯିବା ଉଚିତ ନୁହେଁ । ସନାତନ ବୈଦିକ ଧର୍ମର ସର୍ବୋଚ୍ଚ ଧାର୍ମିକ ଅଧିକାରୀ ହେଉଛନ୍ତି ପରମ ପୂଜ୍ୟ ଜଗତଗୁରୁ ଶଙ୍କରାଚାର୍ଯ୍ୟ । ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଓ ଯୋଶୀ ମଠର ଶଙ୍କରାଚାର୍ଯ୍ୟ ପୁରୀକୁ ହିଁ ଜଗନ୍ନାଥ ଧାମ ବୋଲି ସ୍ପଷ୍ଟ କରିଛନ୍ତି । ସେହିପରି ମୁକ୍ତିମଣ୍ଡପ ପଣ୍ଡିତ ସଭା କହିଛନ୍ତି ଦୀଘାର ଶ୍ରୀଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ଭାବରେ ନାମିତ କରାଯାଇପାରିବ ନାହିଁ । ଶ୍ରୀଜଗନ୍ନାଥ ଧାମ, ଶ୍ରୀ ପୁରୁଷୋତ୍ତମ ଧାମ ବା କ୍ଷେତ୍ର, ଶ୍ରୀକ୍ଷେତ୍ର ଏବଂ ଶ୍ରୀ ନୀଳାଚଳ ଧାମ ପରି ନାମକରଣ କେବଳ ପୁରୀରେ ଥିବା ମହାପ୍ରଭୁ ଜଗନ୍ନାଥଙ୍କର ମୂଳ ପୀଠକୁ ବୁଝାଏ । ଅନ୍ୟ କୌଣସି ସ୍ଥାନ କିମ୍ବା ମନ୍ଦିର ପାଇଁ ଏହା ବ୍ୟବହାର ହୋଇପାରିବ ନାହିଁ । ଇସ୍କନ କର୍ତ୍ତୃପକ୍ଷ ଏନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଚିଠିରେ ଗଜପତି ମହାରାଜ ଉଲ୍ଲେଖ କରିଛନ୍ତି ।