ଜର୍ଜିଆ ମେଲୋନୀ ଇଟାଲୀର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ

ରୋମ୍‌ : ଇଟାଲୀରେ ଇତିହାସ ରଚିବା ସହ ଜର୍ଜିଆ ମେଲୋନୀ ଦେଶ ପ୍ରଥମ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ଦେଶରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ବ୍ରଦର୍ ପାର୍ଟି ଅଫ୍ ଇଟାଲୀର ନେତା ଜର୍ଜିଆ ପୂର୍ବତନ ପ୍ରଧାନମନ୍ତ୍ରୀ ମାରିୟୋ ଦ୍ରାଗିଙ୍କୁ ବଡ଼ ବ୍ୟବଧାନରେ ହରାଇଛନ୍ତି । ଏହା ସହିତ ଇଟାଲୀରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଦକ୍ଷିଣପନ୍ଥୀ ସରକାରର ରାସ୍ତା ମଧ୍ୟ ପରିଷ୍କାର ହୋଇଯାଇଛି । ଇଟାଲୀରେ ୧୯୪୫ ପରେ ୨୦୨୨ ମଧ୍ୟରେ ୭୭ ବର୍ଷର ୭୦ ଥର ସରକାର ପରିବର୍ତ୍ତନ ଘଟିଛି । ଜର୍ଜିଆ ମେଲୋନୀ ପ୍ରଧାନମନ୍ତ୍ରୀ ହେବା ସହ ଇଟାଲୀର ଫାସିଷ୍ଟ ତାନାଶାହ ବେନିଟୋ ମୁସୋଲିନୀଙ୍କ ଚର୍ଚ୍ଚା ମଧ୍ୟ ଜୋର୍ ହୋଇଛି । ପ୍ରକୃତରେ ଜର୍ଜିଆ ନିଜକୁ ମୁସୋଲିନୀ ସମର୍ଥକ ମାନିଥାନ୍ତି । ନିର୍ବାଚନ ପୂର୍ବରୁ ଜର୍ଜିଆ ଫୋଜା ଇଟାଲିଆ ଏବଂ ଦ ଲିଗ୍ ସହିତ ମେଣ୍ଟ୍ କରିଥିଲେ । ମିଡିଆ ରିପୋର୍ଟ ଅନୁସାରେ ମେଣ୍ଟକୁ ୪୩ ପ୍ରତିଶତ ଭୋଟ୍ ମିଳିଛି । ଜର୍ଜିଆ ମେଲୋନୀଙ୍କ ଦଳ ୨୬% ଭୋଟ୍ ପାଇଛି । ଅନ୍ୟପକ୍ଷରେ ବାମପନ୍ଥୀ ଡେମୋକ୍ରାଟିକ୍ ପାର୍ଟି ନେତୃତ୍ୱାଧୀନ ମେଣ୍ଟକୁ ପ୍ରାୟ ୨୬% ଭୋଟ୍ ମିଳିଥିବା ବେଳେ ୫-ଷ୍ଟାର୍ ମୁଭ୍‌ମେଣ୍ଟକୁ ୧୫% ଭୋଟ୍ ମିଳିଛି । ସିନେଟ୍‌ରେ ସଂଖ୍ୟା ଗରିଷ୍ଠତା ପାଇଁ ୧୦୪ ଆସନର ଆବଶ୍ୟକତା ଥିବାବେଳେ ମେଲୋନୀ ମେଣ୍ଟ ୧୧୪ ଆସନ ଜିତିଛି । ମେଣ୍ଟରେ ସାମିଲ ଅନ୍ୟ ଦଳଗୁଡ଼ିକ ସମର୍ଥନ ପ୍ରତ୍ୟାହାର କରିନେବା ପରେ ଜୁଲାଇରେ ଇଟାଲୀରେ ମାରିୟୋ ଦ୍ରାଗି ସରକାରର ପତନ ଘଟିଥିଲା ।