ସର୍ଭିକାଲ କ୍ୟାନ୍ସର ବିରୋଧରେ ଭାରତର ବୈଜ୍ଞାନିକଙ୍କୁ ଏକ ବଡ଼ ସଫଳତା ମିଳିଛି ।ଭାରତ ପ୍ରସ୍ତୁତ କଲା ପ୍ରଥମ ସର୍ଭିକାଲ ବା ଗର୍ଭାଶୟ କ୍ୟାନ୍ସର ଟିକା । ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ବାୟୋଟେକ୍ନୋଲୋଜି ବିଭାଗ ପ୍ରଥମ ଥର ପାଇଁ ଜରାୟୁ କର୍କଟ ବିରୁଦ୍ଧରେ କ୍ୱାଡ୍ରିଭାଲେଣ୍ଟ ହ୍ୟୁମାନ ପାପିଲୋମା ଭାଇରସ୍ ଭ୍ୟାକସିନ-qHPV ସ୍ୱଦେଶୀ ଟିକା ପ୍ରସ୍ତୁତ କରିଛି, ଯାହା ଆଜି ଅର୍ଥାତ୍ ୧ ସେପ୍ଟେମ୍ବରରେ ଲଞ୍ଚ ହେଉଛି । ଏହି ଟିକା ପ୍ରଥମେ ୯ରୁ ୧୪ ବର୍ଷ ବୟସର ଝିଅମାନଙ୍କୁ ଦିଆଯିବ। ଏଥର ଗର୍ଭାଶୟ କର୍କଟ ବିରୋଧରେ ଲଢ଼ିବ ସ୍ୱଦେଶୀ ଟିକା ।
କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପରେ ଦର ନିର୍ଦ୍ଧାରଣ ହେବ । ସେରମ୍ ଇନଷ୍ଟିଚ୍ୟୁଟ୍ ଦ୍ବାରା ପ୍ରସ୍ତୁତ ଏହି ଟିକାକୁ କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଲଞ୍ଚ୍ କରିଛନ୍ତି। କ୍ବାଡ୍ରିଭାଲେଣ୍ଟ ହ୍ୟୁମାନ୍ ପାପିଲୋମା ଭାଇରସ ନାମକ ଏହି ଟିକା ସମ୍ପୂର୍ଣ୍ଣ ସ୍ବଦେଶୀ। ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର୍(ଆଇଆଇସି)ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେରମ୍ ସିଇଓ ଅଦାର ପୁନାୱାଲା ଉପସ୍ଥିତ ଥିଲେ।
ଅନ୍ୟପଟେ ଏହି ଟୀକା ର ଦର ପାଖାପାଖି ୨ଶହରୁ ୪ଶହ ଟଙ୍କା ରହିବ ବୋଲି କହିଛନ୍ତି ପୁନାୱାଲା। ୮୫ ରୁ ୯୦ ପ୍ରତିଶତ ପ୍ରଭାବଶାଳୀ ରହିବ ଏହି ଟିକା। ପ୍ରଥମ ପର୍ଯ୍ୟାୟରେ ଦୁଇ ବର୍ଷ ଭିତରେ ୨୦ କୋଟି ଟିକା ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରଥମେ ଦେଶ ଓ ପରେ ବିଦେଶକୁ ପଠାଯିବ ଟିକା ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ହିସାବ ଅନୁଯାୟୀ ୨୦୧୮ ମସିହାରେ ପୂରା ବିଶ୍ୱରେ ୫ ଲକ୍ଷ ୭୦ ହଜାର ମହିଳା ସର୍ଭିକାଲ କ୍ୟାନ୍ସର ପୀଡ଼ିତ ହୋଇଥିଲେ। ଏଥିରୁ ୩ଲକ୍ଷ ୧୧ ହଜାର ମହିଳା ମୃତ୍ୟୁମୁଖରେ ପଡ଼ିଥିଲେ । ଜରାୟୁ କର୍କଟ କ୍ଷେତ୍ରରେ ଭାରତ ବିଶ୍ୱରେ ୫ମ ସ୍ଥାନରେ ରହିଛି । ଭାରତରେ କର୍କଟ ରୋଗରେ ଆକ୍ରାନ୍ତ ରୋଗୀଙ୍କ ମଧ୍ୟରେ ଜରାୟୁ କର୍କଟ ଦ୍ୱିତୀୟ ସ୍ଥାନରେ ରହିଛି, ଯେଉଁଥିରେ ମହିଳାମାନେ ଅଧିକ ପ୍ରଭାବିତ ହୋଇଥାନ୍ତି । ଅଧିକାଂଶ କ୍ଷେତ୍ରରେ ସର୍ଭିକାଲ କ୍ୟାନ୍ସର ପାପିଲୋମା ଭାଇରସ୍ ଯୋଗୁ ହୋଇଥାଏ। HPV ଭାଇରସ୍ ଦୁଇ ପ୍ରକାରର । ସାଧାରଣ ରୋଗ ପ୍ରତିରୋଧକ ଶକ୍ତି ଥିବା ମହିଳାଙ୍କ ଠାରେ ଏହି କ୍ୟାନସର ହେବାକୁ ପ୍ରାୟ ୧୫ ରୁ ୨୦ ବର୍ଷ ସମୟ ନେଇଥାଏ ।