ନୂଆଦିଲ୍ଲୀ: ଭାରତର ତୃତୀୟ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (CDS) ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ଜେନେରାଲ୍ ଏନ୍.ଏସ୍. ରାଜା ସୁବ୍ରମଣୀ। ଜେନେରାଲ୍ ଅନୀଲ୍ ଚୌହାନଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ସେ ଏହି ସର୍ବୋଚ୍ଚ ସାମରିକ ପଦବୀ ସମ୍ଭାଳିଛନ୍ତି। ଗତ ୯ ତାରିଖରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ତାଙ୍କ ନିଯୁକ୍ତି ନେଇ ଆଧିକାରିକ ଘୋଷଣା କରାଯାଇଥିଲା। ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘JAI’ ଭିଜନ୍ ଅନୁସାରେ ତିନି ସେନା ମଧ୍ୟରେ ସମନ୍ୱୟ ରକ୍ଷା କରିବା ଏବଂ ଭାରତୀୟ ସେନାକୁ ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳ ଓ ଆଧୁନିକ କରିବା ତାଙ୍କର ମୁଖ୍ୟ ଲକ୍ଷ୍ୟ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏହି ପଦବୀକୁ ଆସିବା ପୂର୍ବରୁ ସେ ସେନାର ଉପମୁଖ୍ୟ, ସେଣ୍ଟ୍ରାଲ କମାଣ୍ଡର ମୁଖ୍ୟ ଏବଂ ଜାତୀୟ ସୁରକ୍ଷା ପରିଷଦ ସଚିବାଳୟରେ ସାମରିକ ପରାମର୍ଶଦାତା ଭାବେ ସଫଳତାର ସହ କାର୍ଯ୍ୟ କରିଛନ୍ତି। ଚୀନ୍ ଓ ପାକିସ୍ତାନ ସୀମାରେ ରଣନୀତି ପ୍ରସ୍ତୁତ କରିବା ସହ ଉଚ୍ଚ ପାର୍ବତ୍ୟାଞ୍ଚଳ ଯୁଦ୍ଧ କୌଶଳରେ ସେ ଜଣେ ମାହିର ବିଶେଷଜ୍ଞ। ବର୍ତ୍ତମାନର ଜଟିଳ ଆଞ୍ଚଳିକ ସୁରକ୍ଷା ପରିସ୍ଥିତିରେ ସେନାର ଆଧୁନିକୀକରଣ ଓ ତିନି ସେନା ମଧ୍ୟରେ ତାଳମେଳ ରଖିବାରେ ତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ।