ଗେହଲୋଟ୍ ଙ୍କ କ୍ୟାବିନେଟରେ ଅଦଳ ବଦଳ : ସଚିନ୍ ପାଇଲଟ୍ ଖୁସ, କହିଲେ ଅଭାବ ପୂରଣ ହେଲା

ରାଜସ୍ଥାନ ସରକାର ରେ ମାସେ ଧରି ଚାଲିଥିବା ମନ୍ତ୍ରୀ ମଣ୍ଡଳ ସ୍ତରୀୟ ଅଶାନ୍ତି ମଧ୍ୟରେ ଆଜି ନୂତନ କ୍ୟାବିନେଟର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏହି ସମୟରେ ସଚିନ୍ ପାଇଲଟ୍ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ।ଏଥିରେ ସେ କହିଛନ୍ତି ଯେ କ୍ୟାବିନେଟର ନୂତନ ତାଲିକାରୁ ଏକ ଭଲ ବାର୍ତ୍ତା ଆସୁଛି । ମନ୍ତ୍ରୀ ପଦ ନେଇ ଯାହା ଅଭାବ ଥିଲା ଏଥର ସେଗୁଡ଼ିକ ପୂରଣ ହୋଇଛି I
ଏହି ନୂଆ ୩୦ ଜଣିଆ ମନ୍ତ୍ରିମଣ୍ଡଳରେ ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟଙ୍କ ୫ ଅନୁଗତ ମଧ୍ୟ ଶପଥ ନେବେ। ତେବେ ଗେହଲଟଙ୍କ ନୂଆ ମନ୍ତ୍ରିମଣ୍ଡଳରେ ୧୫ ନୂଆ ଚେହେରାଙ୍କୁ ସାମିଲ କରାଯାଇଛି । ସେମାନଙ୍କ ମଧ୍ୟରୁ ୪ ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେବେ ବୋଲି ସୂଚନା ଦିଆଯାଇଛି ।ସଚିନଙ୍କ ଅନୁଗତଙ୍କ ମଧ୍ୟରୁ ହେମରାମ ଚୌଧୁରୀ, ବିଶ୍ୱେନ୍ଦ୍ର ସିଂ, ରମେଶ ମୀନା କ୍ୟାବିନେଟ ମନ୍ତ୍ରୀ ହେବାକୁ ଥିବାବେଳେ ବ୍ରିଜେନ୍ଦ୍ର ସିଂ ଓଲା ଓ ମୁରାରି ଲାଲ୍ ମୀନା ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେବେ । ଆଜି ଶପଥ ନେବାକୁ ଥିବା ମନ୍ତ୍ରୀଙ୍କ ନାଁ ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ।
ସୂଚନାଯୋଗ୍ୟ, ଗତବର୍ଷ ଗେହଲଟ ସରକାରଙ୍କ ବିରୋଧରେ ସଚିନ ପାଇଲଟ ଏବଂ ତାଙ୍କ ସମର୍ଥନ ରେ ଥିବା ମନ୍ତ୍ରୀ ମାନେ ବିଦ୍ରୋହ ଘୋଷଣା କରିଥିଲେ। ସ୍ଥିତି ଏପରି ହୋଇଥିଲା ଯେ ସଚିନ ଙ୍କ ସହିତ ତାଙ୍କ ଅନୁଗତ ମନ୍ତ୍ରୀ ମାନେ ଦିଲ୍ଲୀରେ ଡେରା ପକାଇଥିଲେ।

ଗତ ରାତିରେ ଗେହଲଟ ରାଜଭବନ ଯାଇ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ଭେଟି ଶପଥଗ୍ରହଣ ସମାରୋହ ସଂପର୍କରେ ଆଲୋଚନା କରିଛନ୍ତି। ଏଥିସହ ଶପଥ ନେବାକୁ ଥିବା ମନ୍ତ୍ରୀଙ୍କ ତାଲିକା ପ୍ରଦାନ କରିଛନ୍ତି । ଏହା ପୂର୍ବରୁ ପାଇଲଟ୍, ଗେହଲୋଟ୍ ଓ ଗାନ୍ଧିଙ୍କ ମଧ୍ୟରେ ବାରମ୍ବାର ବୈଠକ ହୋଇଥିଲା ।
ବୈଠକର ନିଷ୍ପତ୍ତି ଅନୁସାରେ ସଚିନଙ୍କ ଅନୁଗତଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି କ୍ରମରେ ଗେହଲଟଙ୍କ ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଥିଲେ । ଯଦିଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଓ ବରିଷ୍ଠ ନେତା ରାହୁଲ ଗାନ୍ଧି ଚାହୁଁଛନ୍ତି ସଚିନ ଗୁଜୁରାଟ୍‌ରେ କଂଗ୍ରେସର ମଙ୍ଗ ଧରନ୍ତୁ, ହେଲେ ସଚିନ ରାଜସ୍ଥାନରେ ସଂଗଠନ ଦାୟିତ୍ୱ ସମ୍ଭାଳିବା ଉପରେ ଫୋକସ ଦେଉଛନ୍ତି ।

Comments (0)
Add Comment