ମାର୍ଚ୍ଚ ପହିଲାରୁ ବଢ଼ିଲା ଗ୍ୟାସ ଦର

ମାର୍ଚ୍ଚ ପହିଲାରୁ ରନ୍ଧନ ଗ୍ୟାସ ଗ୍ରାହକଙ୍କ ଉପରେ ପଡିଛି ଚଡକ । ପୁଣି ବଢ଼ିଲା ଏଲପିଜି ଗ୍ୟାସ ସିଲିଣ୍ଡର ଦର । ଏକାଥରକେ ୧୦୫ ଟଙ୍କା ବଢିଛି କମର୍ସିଆଲ ସିଲିଣ୍ଡର କିନ୍ତୁ ଘରୋଇ ଗ୍ୟାସ ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି I ଫେବ୍ରୁଆରୀ ପହିଲାରେ ଏହାର ଦର ୯୧ଟଙ୍କା ୫୦ ପଇସା ବୃଦ୍ଧି ପାଇଥିବାବେଳେ ପୁଣି ଏହାର ଦର ବଢିଛି । ଫଳରେ ସିଲିଣ୍ଡର ପିଛା ୧୯ ଲିଟର କମର୍ସିଆଲ ସିଲିଣ୍ଡରର ଦର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରହିଛି । ବର୍ଦ୍ଧିତ ଦର ପରେ କମର୍ସିଆଲ ସିଲିଣ୍ଡର ଦର ଦିଲ୍ଲୀରେ ୨,୦୧୨ ଟଙ୍କାରେ ପହଞ୍ଚିଥିବାବେଳେ କୋଲକାତାରେ ୨,୦୮୯ଟଙ୍କା ହୋଇଛି । ସେହିପରି ମୁମ୍ବାଇରେ ୧୯୬୨ ଟଙ୍କାରେ ପହଞ୍ଚିଥିବାବେଳେ କମର୍ସିଆଲ ସିଲିଣ୍ଡର ପିଛା ଦର ୨୧୮୫ ଟଙ୍କାରେ ପହଞ୍ଚିଛି । ଏହାସହ ୫ ଲିଟିର ଗ୍ୟାସ ସିଲିଣ୍ଡର ଦର ମଧ୍ୟ ବଢିଛି । ସିଲିଣ୍ଡର ପିଛା ୨୭ ଟଙ୍କା ବଢି ୫୬୯ ଟଙ୍କାରେ ପହଞ୍ଚଛି ।

ଗତ ଅକ୍ଟୋବର ୧ ରେ କମର୍ସିଆଲ ସିଲିଣ୍ଡରର ମୂଲ୍ୟ ୧୭୩୬ ଟଙ୍କା ଥିବାବେଳେ ନଭେମ୍ବରରେ ଏଥିରେ ବୃଦ୍ଧି ଘଟି ୨୦୦୦ ଟଙ୍କାରେ ପହଞ୍ଚିଥିଲା। ଜାନୁଆରୀରେ ଏବଂ ଫେବ୍ରୁଆରୀ ୨୦୨୨ ରେ ଏଲପିଜି ମୂଲ୍ୟ କମି ୧୯୦୭ ଟଙ୍କାରେ ପହଞ୍ଚିଥିଲା। ତେବେ ଆଜିଠାରୁ ପୁଣି ୧୯ କିଲୋଗ୍ରାମର ଏଲପିଜି ସିଲିଣ୍ଡର ମୂଲ୍ୟ ୧୯୦୭ ଟଙ୍କା ବଦଳରେ ୨୦୧୨ ଟଙ୍କାକୁ ବୃଦ୍ଧି ପାଇଛି।ଅନ୍ୟପଟେ ୧୪ କେଜି ଘରୋଇ ଏଲପିଜିର ମୂଲ୍ୟ ଅପରିବର୍ତ୍ତିତ ରହିଛି । ହେଲେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଉଥିବାରୁ ଘରୋଇ ଏଲପିଜି ଦର ମଧ୍ୟ ବଢିବାର ଆଶଙ୍କା ରହୁଛି I