ଗଂଜାମ ଜିଲ୍ଲା ମା ‘ତାରା ତାରିଣୀ ପୀଠର ହେଲା ନବକଳେବର: ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀ ପୀଠ ର ହେଲା ନବକଳେବର । କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନବର୍ନିମିତ ଏହି ମନ୍ଦିରକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ସକାଳେ ସ୍ୱତନ୍ତ୍ର ହେଲିକପ୍ଟରରେ ମୁଖ୍ୟମନ୍ତ୍ରୀ ମା’ଙ୍କ ପୀଠରେ ପହଞ୍ଚି ମାଆଙ୍କ ଦର୍ଶନ କରିଥିଲେ। ପରେ ଜୀର୍ଣ୍ଣୋଦ୍ଧାର ଓ ନୂତନ ପ୍ରାସାଦ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦେଇ ଲୋକାର୍ପିତ କରିଥିଲେ।
ଗତ ୫ ଦିନ ଧରି ଚାଲିଥିବା ପ୍ରତିଷ୍ଠା ଉତ୍ସବର ଆଜି ସଂପନ୍ନ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ପୁରୋଧା ଭାବରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ‌ଏହି ଅବସରରେ ଆଜିର ଦିନଟିକୁ ଏକ ପବିତ୍ର ଦିନ ଭାବରେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ସାରା ଓଡିଶା, ବିଶେଷକରି ଗଞ୍ଜାମବାସୀଙ୍କର ମଙ୍ଗଳ କାମନା କରି ମାଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ପ୍ରଥମେ ମାଙ୍କର ଦର୍ଶନ କରି ପୂଜାର୍ଚ୍ଚନା କରିବା ସହିତ ପ୍ରତିଷ୍ଠା କାର୍ଯ୍ୟରେ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ଦେବଭୂମି। ଓଡିଶାରେ ଶକ୍ତି ପୂଜାର ପରମ୍ପରା ବହୁ ପ୍ରାଚୀନ । ଓଡିଶାର ଗାଁ ଗାଁରେ ମାଙ୍କର ପୂଜା ଅନାଦି କାଳରୁ ଚାଲିଆସିଛି । ମା ତାରାତାରିଣୀ ହେଉଛନ୍ତି ଗଞ୍ଜାମର ଇଷ୍ଟ ଦେବୀ ।

ଗଞ୍ଜାମବାସୀଙ୍କ ସୁଖଦୁଃଖ ରେ ଆମେ ମାଙ୍କ ଶରଣ ନେଇଥାଉ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ମାଙ୍କ ଆଶୀର୍ବାଦ ଓ ମାଙ୍କ ଇଚ୍ଛାରେ ହିଁ ତାଙ୍କ ମନ୍ଦିର ଆଜି ଏହି ଭବ୍ୟ ରୂପ ଗ୍ରହଣ କରିଛି। ଏହି କାର୍ଯ୍ୟରେ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ମନ୍ଦିରର ଏହି ନୂଆ ରୂପ ଓ ବିକଶିତ ପରିବେଶ ଅଧିକ ଭକ୍ତ ଓ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବାରେ ସହାୟକ ହେବ ବୋଲି ମତ ଦେଇ ସେମାନଙ୍କ ନିମନ୍ତେ କରାଯାଇଥିବା ବିଭିନ୍ନ ସୁବିଧା ସୁଯୋଗର ଉଚ୍ଚପ୍ରଶଂସା କରିଥିଲେ ।
ଶେଷରେ ଶାନ୍ତି ଓ ସହଯୋଗ ଭିତ୍ତିରେ ଗଞ୍ଜାମର ବିକାଶ ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଜଣାଇଥିଲେ । ପ୍ରତିଷ୍ଠା ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟନାୟକ ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ନାତି ଶ୍ରୀ ସ୍ମିତେଶ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟତମ ସ୍ଥପତି ନାରାୟଣ ତ୍ରିପାଠୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।


କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ବାଚସ୍ପତି ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଓ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ତାରା ତାରିଣୀ ମନ୍ଦିରର ରୂପାନ୍ତରକୁ 5T ରୂପାନ୍ତରଣ କାର୍ଯ୍ୟକ୍ରମର ପ୍ରକୃଷ୍ଟ ଉଦାହରଣ ଭାବରେ ବର୍ଣ୍ଣନା କରିଥିଲେ । କାର୍ଯ୍ୟକ୍ରମରେ ମନ୍ତ୍ରୀ ମଣ୍ଡଳ ର ସଦସ୍ୟ ବୃନ୍ଦ ସାଂସଦ ବିଧାୟକ ମୁଖ୍ୟ ଶାସନ ସଚିବ ମୁଖ୍ୟମନ୍ତ୍ରୀଙ୍କ ସଚିବ 5T ଗଞ୍ଜାମ ଜିଲ୍ଲାପାଳଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ ।