ମୁମ୍ବାଇରେ ଗଣେଶ ବିସର୍ଜନ ପ୍ରସଙ୍ଗ, ଶିବସେନାର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

ମୁମ୍ବାଇ : ଶୁକ୍ରବାର ମହାରାଷ୍ଟ୍ରରେ ଗଣେଶ ବିସର୍ଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ତେବେ ବିସର୍ଜନ ସମୟରେ ଶିବସେନାର ଦୁଇ ଗୋଷ୍ଠୀ (ସିନ୍ଧେ ଓ ଠାକ୍‌ରେ) ମଧ୍ୟରେ ସଂଘର୍ଷର ସୂତ୍ରପାତ ଘଟିଥିବା ଜଣାପଡିଛି । ମୁମ୍ବାଇର ପ୍ରଭାଦେବୀ ଅଞ୍ଚଳରେ ପ୍ରଥମେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଗଣେଶ ଶୋଭାଯାତ୍ରା ପ୍ରଭାଦେବୀ ଅଞ୍ଚଳ ଦେଇ ଯାଉଥିବାବେଳେ ଠାକ୍‌ରେ ଗୋଷ୍ଠୀର ସମର୍ଥକମାନେ ପ୍ରଥମେ ଆକ୍ରମଣ କରିଥିଲେ ବୋଲି ସିନ୍ଦେ ଗୋଷ୍ଠୀର ସ୍ଥାନୀୟ ଶିବସେନା ନେତା ସନ୍ତୋଷ ତେଲାଭାନେ ଅଭିଯୋଗ କରିଛନ୍ତି । ଏପରିକି ଠାକ୍‌ରେ ଗୋଷ୍ଠୀର ଜଣେ କର୍ମୀ ସେମାନଙ୍କ ନେତା ମହେଶ ସାୱନ୍ତଙ୍କ ଉପରକୁ ଗୁଳି ଚଳାଇଥିଲେ ବୋଲି ତେଲାଭାନେ କହିଛନ୍ତି । ବୋରିଭାଲି ନିକଟରେ ମଧ୍ୟ ଦୁଇ ଗୋଷ୍ଠୀ ପରସ୍ପରକୁ ଟେକାପଥର ମାଡ କରିଥିବା ଜଣାପଡିଛି । ପୁଲିସ ଏହାର ତଦନ୍ତ କରୁଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଚୂଡାନ୍ତ ରିପୋର୍ଟ ଦେଇନଥିବା ଜଣାପଡିଛି । ଗଣେଶ ପୂଜାରୁ ଆରମ୍ଭ ହୋଇଥିବା ଏହି ଗୋଷ୍ଠୀ ସଂଘର୍ଷ ଆଗାମୀ ଦଶହରାରେ ଉଗ୍ରରୂପ ଧାରଣ କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ମୁମ୍ବାଇର ଶିବାଜୀ ପାର୍କରେ ଦୁର୍ଗା ପେଣ୍ଡାଲ ନିର୍ମାଣ କରିବାକୁ ଉଭୟ ଗୋଷ୍ଠୀ ବିଏମ୍‌ସି (ବ୍ରିହନ୍‌ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ) ନିକଟରେ ଦାବି ଉପସ୍ଥାପନ କରିଛନ୍ତି । ତେବେ କେଉଁ ଗୋଷ୍ଠୀକୁ ସୁସମ୍ବାଦ ମିଳିବ, ତାହା ବର୍ତ୍ତମାନ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ସୂଚନାଯୋଗ୍ୟ ଚଳିତବର୍ଷ ଜୁନ୍‌ରେ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ବିଧାୟକମାନେ ବିଦ୍ରୋହ କରିବାପରେ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ମେଣ୍ଟ ସରକାର (ଶିବସେନା-କଂଗ୍ରେସ-ଏନ୍‌ସିପି) ଗାଦିଚୁଭ୍ୟତ ହୋଇଥିଲା । ପରବର୍ତ୍ତୀ ସମୟରେ ବିଜେପି ସହ ମେଣ୍ଟ କରି ସିନ୍ଦେ ଗୋଷ୍ଠୀ ମହାରାଷ୍ଟ୍ରରେ ସରକାର ଗଠନ କରିଥିଲେ । ଏକଦାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଓ ବିଜେପିର ଦେବେନ୍ଦ୍ର ଫଡ୍‌ନବୀସ ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଉଛନ୍ତି । ତେବେ କେଉଁ ଗୋଷ୍ଠୀ ପ୍ରକୃତରେ ଶିବସେନାର ନେତୃତ୍ୱ ନେବ, ସେହି ମାମଲା ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ବିଚାରାଧୀନ ରହିଛି ।

Ganesh dispersal issue in Mumbai