ଗଜପତି: ଚାକିରୀ ପ୍ରଲୋଭନ ଦେଖାଇ ଯୁବତୀମାନଙ୍କୁ ଚୋରା ଚାଲାଣ କରାଯାଉଥିବା ଘଟଣାରେ ଦୁଇଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି ୭ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି | ଏହି ଘଟଣା ପଛରେ ଏକ ବଡ଼ ଆନ୍ତଃରାଜ୍ୟ ରାକେଟ ସକ୍ରିୟ ରହିଛି କି ନାହିଁ ସେନେଇ ପୁଲିସ ଅଧିକ ତଦନ୍ତ ଚଳାଇଛି। ଉଦ୍ଧାର ହୋଇଥିବା ୭ ଜଣଙ୍କ ମଧ୍ୟରୁ ୬ ଜଣ ନାବାଳିକା ଏବଂ ସମସ୍ତେ ଆଦିବାସୀ ପରିବାରର ବୋଲି ଜଣାପଡ଼ିଛି। ଗ୍ରାମାଞ୍ଚଳର ଦରିଦ୍ର ଓ ଅସହାୟ ପରିବାରକୁ ଟାର୍ଗେଟ କରି ସଙ୍ଗଠିତ ଭାବେ ମାନବ ଚୋରାଚାଲାଣ ରାକେଟ କାର୍ଯ୍ୟ କରୁଛି ବୋଲି ସନ୍ଦେହ କରାଯାଉଛି |ପ୍ରଥମ ତଦନ୍ତରେ ରାୟଗଡ଼ା ଜିଲ୍ଲାର ଇଶ୍ୱର କୁସୁଲିଆ ଏବଂ ହାଇଦ୍ରାବାଦର ସରିତା ଜୈନଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଛି। ଏତେ ବଡ଼ ନେଟୱର୍କ କେବଳ ଦୁଇଜଣଙ୍କ ଦ୍ୱାରା ସମ୍ଭବ ନୁହେଁ ବୋଲି ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି। ଅଭିଯୁକ୍ତମାନଙ୍କର କଲ୍ ରେକର୍ଡ, ଆର୍ଥିକ କାରବାର, ବ୍ୟାଙ୍କ କାରବାର ଓ ଯୋଗାଯୋଗର ମାଧ୍ୟମ, ସ୍ଥାନ ଯାଞ୍ଚ କରୁଛି । ବିଶେଷକରି ରା. ଉଦୟଗିରି ଓ ମୋହନା ଅଞ୍ଚଳରୁ ଚାକିରି ନାଁରେ ଆଉ କେତେ ଯୁବତୀ ବାହାର ରାଜ୍ୟକୁ ଯାଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ କେହି ଏପର୍ଯ୍ୟନ୍ତ ଫସି ରହିଛନ୍ତି କି ନାହିଁ, ସେନେଇ ପୁଲିସ ସ୍ଥାନୀୟ ସ୍ତରରେ ମଧ୍ୟ ତଥ୍ୟ ସଂଗ୍ରହ କରୁଛି। ଆବଶ୍ୟକ ପଡ଼ିଲେ ଅନ୍ୟ ରାଜ୍ୟର ପୁଲିସ ସହ ସମନ୍ୱୟ କରାଯିବ ବୋଲି ସୂଚନା ମିଳିଛି। ତଦନ୍ତର ପରିସର କେବଳ ଗଜପତିରେ ସୀମିତ ନ ରହି ରାୟଗଡ଼ା, କନ୍ଧମାଳ ଓ ପଡ଼ୋଶୀ ଜିଲ୍ଲାରୁ ମଧ୍ୟ ସମାନ ଭାବରେ ଯୁବତୀମାନଙ୍କୁ ବାହାରକୁ ପଠାଯାଇଥିବା ନେଇ ମଧ୍ୟ ଖୋଳତାଡ଼ ଚାଲିଛି। ଏହି ମାମଲାରେ ଗିରଫ ଦୁଇ ଅଭିଯୁକ୍ତଙ୍କୁ ପୁଲିସ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିପାରେ।