ଜି-୨୦ ସମ୍ମିଳନୀ ଉଦ୍‌ଯାପିତ, ଭାରତକୁ ଅଧ୍ୟକ୍ଷ ପଦ ହସ୍ତାନ୍ତର
ଆସନ୍ତାବର୍ଷର ପ୍ରସଙ୍ଗ ଡାଟା ଫର୍ ଡେଭେଲପ୍‌ମେଣ୍ଟ୍‌: ମୋଦୀ

ବାଲି: ଇଣ୍ଡୋନେସିଆର ବାଲି ସହରରେ ଚାଲିଥିବା ଦୁଇଦିନିଆ ଜି-୨୦ ଶିଖର ସମ୍ମିଳନୀ ବୁଧବାର ଉଦ୍‌ଯାପିତ ହୋଇଛି । ଉଦ୍‌ଯାପନୀ ଦିବସରେ ଆୟୋଜକ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡୋ ଆନୁଷ୍ଠାନିକଭାବେ ଭାରତକୁ ଜି-୨୦ ଅଧ୍ୟକ୍ଷ ପଦ ହସ୍ତାନ୍ତର କରିଛନ୍ତି । ଚଳିତବର୍ଷ ଡିସେମ୍ବର ୧ରୁ ଏକବର୍ଷ ପାଇଁ ଭାରତ ଜି-୨୦ର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବ । ଭାରତକୁ ଅଧ୍ୟକ୍ଷ ପଦ ମିଳିବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବେଶ ଉତ୍ସାହିତ ହୋଇପଡିଛନ୍ତି । ସମ୍ମିଳନୀକୁ ସମ୍ବୋଧିତ କରି ମୋଦୀ କହିଛନ୍ତି ଯେ ସମଗ୍ର ବିଶ୍ୱ ଯେତେବେଳେ ଜିଓପଲିଟିକାଲ ଉତ୍ତେଜନା, ଆର୍ôଥକ ମାନ୍ଦାବସ୍ଥା, ଖାଦ୍ୟ ଓ ଶକ୍ତି ସଙ୍କଟ ଦେଇ ଗତି କରୁଛି, ସେହି ସମୟରେ ଭାରତ ଉପରେ ଜି-୨୦ ସଂଗଠନର ଅଧ୍ୟକ୍ଷ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଏହା ଭାରତ ପାଇଁ ନିଶ୍ଚିତଭାବେ ଏକ ଆହ୍ୱାନ । ଭାରତର ଅଧ୍ୟକ୍ଷତା ସମୟରେ ଏହି ସଂଗଠନ ଗଠନମୂଳକ ପଦକ୍ଷେପ ଗ୍ରହଣ କରିବ ବୋଲି ମୋଦୀ କହିଛନ୍ତି । ଜି-୨୦ ସଗଠନକୁ ଅଧିକ କ୍ରିୟାଶୀଳ, ନିର୍ଣ୍ଣାୟକ ଏବଂ କାର୍ଯ୍ୟ ଆଧାରିତ କରିବାକୁ ଭାରତ ଉଦ୍ୟମ କରିବ ବୋଲି ମୋଦୀ ପ୍ରତିଶ୍ରୁତି ଦେଇଛନ୍ତି । ଦାରିଦ୍ର‌୍ୟର ମୁକାବିଲା ପାଇଁ ଆସନ୍ତାବର୍ଷ ସଠିକ୍ ଡିଜିଟାଲ ଟେକ୍ନୋଲୋଜିର ସହାୟତା ନିଆଯିବ । ଫଳରେ ଆସନ୍ତାବର୍ଷ ଜି-୨୦ ସଂଗଠନର ମୁଖ୍ୟ ପ୍ରସଙ୍ଗ ‘ଡାଟା ଫର୍ ଡେଭେଲପ୍‌ମେଣ୍ଟ‘ ରଖାଯିବ । କୋଭିଡ୍ ସମୟରେ ଦୁର୍ଗମ ଗ୍ରାମାଞ୍ଚଳରେ ପେପରଲେସ୍ କାର୍ଯ୍ୟ ସମ୍ପାଦନ କରିବାରେ ଡିଜିଟାଲ ଟେକ୍ନୋଲୋଜି ବେଶ ଫଳପ୍ରଦ ହୋଇଥିବା ମୋଦୀ କହିଛନ୍ତି । ତେଣୁ ସେହି ଫର୍ମୁଲାକୁ ଆଧାର କରି ଡିଜିଟାଲ ଟେକ୍ନୋଲୋଜି ଜରିଆରେ ଜଳବାୟୁ ପରିବର୍ତ୍ତନ ଭଳି ବୈଶ୍ୱିକ ସମସ୍ୟାର ସମାଧାନ କରାଯାଇପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି । ତେବେ ଏଭଳି ଟେକ୍ନୋଲୋଜି କେବଳ ସୀମିତ ଅଞ୍ଚଳରେ କାର୍ଯ୍ୟକାରୀ କରାଗଲେ ସୁଫଳ ମିଳିବ ନାହିଁ । ଯେତେବେଳେ ବିଶ୍ୱର ଅଧିକାଂଶ ଲୋକ ଡିଜିଟାଲ ଟେକ୍ନୋଲୋଜିର ସୁବିଧା ପାଇବେ, ସେତେବେଳେ ଏହାର ଗୁରୁତ୍ୱ ପ୍ରମାଣିତ ହୋଇପାରିବ ବୋଲି ମୋଦୀ କହିଛନ୍ତି । ଆନ୍ତର୍ଜାତିକସ୍ତରରେ ଡିଜିଟାଲ ଟେକ୍ନୋଲୋଜି ଏକ ବିରାଟ ବ୍ୟବଧାନ ସୃଷ୍ଟି କରିଛି । ତେବେ ଭାରତରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଡିଜିଟାଲ ସୁବିଧା ମିଳୁଥିବାରୁ ସେମାନେ ମଧ୍ୟ ସହରାଞ୍ଚଳ ଲୋକଙ୍କ ସହ ଏହି ପ୍ରସଙ୍ଗରେ ସମକକ୍ଷ ହୋଇପାରିଥିବା ମୋଦୀ ଉଦାହରଣ ଦେଇଛନ୍ତି । ଭାରତକୁ ଜି-୨୦ ଅଧ୍ୟକ୍ଷ ଦାୟିତ୍ୱ ମିଳିବା ଗର୍ବର ବିଷୟ ବୋଲି ସେ କହିଛନ୍ତି । ବିଶ୍ୱରେ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ଭାରତ ଏହି ସଂଗଠନର ଆଭିମୁଖ୍ୟକୁ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକାରୀ କରିବାକୁ ଉଦ୍ୟମ କରିବ ବୋଲି ମୋଦୀ ପ୍ରତିଶ୍ରୁତି ଦେଇଛନ୍ତି । ଏହି ପ୍ରକ୍ରିୟାରେ ମହିଳାଙ୍କ ବିକାଶକୁ ପ୍ରାଧାନ୍ୟ ଦିଆଯିବ ବୋଲି ସେ କହିଛନ୍ତି ।

G-20 summit convened