ଆଜିଠାରୁ ସମସ୍ତଙ୍କ ପାଇଁ ରତ୍ନସିଂହାସନରେ ମିଳିବ ଶ୍ରୀଜିଉଙ୍କ ଦର୍ଶନ

ଆଜିଠାରୁ ରାଜ୍ୟ ଓ ରାଜ୍ୟ ବାହାରର ସମସ୍ତ ଭକ୍ତ ଚତୁର୍ଦ୍ଧାମୂରତିଙ୍କୁ ଦର୍ଶନ କରିପାରିବେ। ଦୀର୍ଘ ୪ ମାସର ପ୍ରତିକ୍ଷା ପରେ ରତ୍ନସିଂହାସନରେ ଶ୍ରୀଜିଉଙ୍କୁ ଦେଖିବାର ସୌଭାଗ୍ୟ ପାଇଛନ୍ତି ସର୍ବସାଧାରଣ । କରୋନାର ଦ୍ୱିତୀୟ ଲହର କମିବା ପରେ ସେବାୟତ, ତାଙ୍କ ପରିବାର ଓ ପୁରୀବାସୀ ଶ୍ରୀଜିଉଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପାଇଥିଲେ। ତେବେ ସରକାରୀ ଗାଇଡଲାଇନ୍‌ ଅନୁଯାୟୀ, ଚତୁର୍ଦ୍ଧାମୂରତିଙ୍କ ଦର୍ଶନ ପାଇଁ ଆରଟିପିସିଆର ନେଗେଟିଭ ରିପୋର୍ଟ କିମ୍ବା କରୋନା ଟିକାର ୨ଟି ଡୋଜ୍ ନେଇଥିବାର ସାର୍ଟିଫିକେଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ଆଧାର କାର୍ଡ ପରି ପରିଚୟ ପତ୍ର ବି ଆବଶ୍ୟକ ।
ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ୱାରରେ ପ୍ରବେଶ ଓ ଉତ୍ତର ଦ୍ୱାରରେ ପ୍ରସ୍ଥାନର ବ୍ୟବସ୍ଥା ହୋଇଛି । ହାତ ସାନିଟାଇଜ୍ ପାଇଁ କରାଯାଇଛି ୮ଟି କିଓସ୍କ । ବୃଦ୍ଧ ଓ ଦିବ୍ୟାଙ୍ଗ ଯେମିତି ସୁରୁଖୁରୁରେ ଦର୍ଶନ କରିପାରିବେ, ତାର ମଧ୍ୟ ବ୍ୟବସ୍ଥା ହୋଇଛି। ସକାଳ ୭ଟାରୁ ସଂଧ୍ୟା ୭ଟା ଯାଏ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ଭକ୍ତ।
ସେହିପରି ଆଜି ଭୁବନେଶ୍ୱରରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିଛି। ହେଲେ ସେପ୍ଟେମ୍ବର ୧ରୁ ଖୋଲିବ ଲିଙ୍ଗରାଜ ମନ୍ଦିର। କୋଭିଡ୍ ନିୟମ ମାନି ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ବିଏମ୍‌ସି ଅନୁମତି ଦେଇଛି। ତେବେ କୌଣସି ଶ୍ରଦ୍ଧାଳୁଙ୍କୁ ମନ୍ଦିରର ଗର୍ଭଗୃହ ଭିତରକୁ ଛଡ଼ାଯିବ ନାହିଁ I ମସିଜିଦ୍, ଚର୍ଚ୍ଚ ଓ ଅନ୍ୟ ଧର୍ମାନୁଷ୍ଠାନରେ ମଧ୍ୟ କୋଭିଡ୍ କଟକଣାରେ ଶ୍ରଦ୍ଧାଳୁମାନେ ଭିତରକୁ ଯାଇ ପ୍ରାର୍ଥନା ଓ ନମାଜ କରିପାରିବେ ।
ତେବେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଯେମିତି ସାମାଜିକ ଦୂରତା ରହିବ ସେ ଦାୟିତ୍ୱ ସଂପୃକ୍ତ ଧର୍ମାନୁଷ୍ଠାନର କର୍ତ୍ତୃପକ୍ଷ ନେବେ । ତେବେ ଧର୍ମାନୁଷ୍ଠାନରେ ଏକା ସଙ୍ଗରେ ୨୫ ଜଣରୁ ଅଧିକ ଏକାଠି ହେବାକୁ ବାରଣ କରାଯାଇଛି। ସମସ୍ତ ସେବାୟତ ମାସ୍କ ପିନ୍ଧିବେ ଏବଂ ଶ୍ରଦ୍ଧାଳୁମାନେ ଧର୍ମାନୁଷ୍ଠାନରେ ପ୍ରବେଶ ବେଳେ କୋଭିଡ ଗାଇଡଲାଇନ ମାନିବା ବାଧ୍ୟତାମୂଳକ I

Comments (0)
Add Comment