ଏପ୍ରିଲ ୧୨ ରୁ ୧୬ ରାଜ୍ୟର ସମସ୍ତ ସ୍କୁଲ ଏବଂ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ

ଭୁବନେଶ୍ୱର : ଆସନ୍ତା କାଲିଠାରୁ ଏପ୍ରିଲ ୧୬ ପର୍ଯ୍ୟନ୍ତ ରାଜ୍ୟରେ ବନ୍ଦ ରହିବ ସମସ୍ତ ସ୍କୁଲ ଏବଂ ଅଙ୍ଗନବାଡି କେନ୍ଦ୍ର I ବଢୁଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିର୍ଦେଶ ଦେଇଛନ୍ତି । ତେବେ ଗ୍ରୀଷ୍ମ ସକାଶେ ଆଜିଠାରୁ ରାଜ୍ୟରେ ସକାଳୁଆ ସ୍କୁଲ ଆରମ୍ଭ ହୋଇଥିଲା I ରାଜ୍ୟର ଅଧିକାଂଶ ଜିଲ୍ଲାକୁ ହିଟ୍ ୱେଭ ୱାର୍ଣ୍ଣିଂ ଜାରି କଲାଣି ପାଣିପାଗ ବିଭାଗ । ଆଜି କୋଭିଡ୍ ଓ ହିଟୱେଭକୁ ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଥିଲେ । ଏହାପରେ ଏହି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏଣେ ରାଜଧାନୀ ସମେତ ୯ଟି ସ୍ଥାନରେ ଆଜି ତାତି ୪୦ ଡିଗ୍ରୀ ଉପରକୁ ଯାଇଛି । ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୦.୪ ଡିଗ୍ରୀ ସେଲସିୟସ ଥିବା ରେକର୍ଡ କରାଯାଇଛି । ସେହିଭଳି ଝାରସୁଗୁଡାର ତାପମାତ୍ରା ଓ ବାରିପଦାର ତାପମାତ୍ରା ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ମଙ୍ଗଳବାର ଏଠାର ତାପମାତ୍ରା ୪୦.୮ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇ ଥିବାବେଳେ ଗତକାଲି ମଧ୍ୟ ଝାରସୁଗୁଡା ଓ ବାରିପଦାର ତାପମାତ୍ରା ୪୧ ଡିଗ୍ରୀ ଟପିଯାଇଛି । ଏଣେ ଏସବୁ ଭିତରେ ଏବର୍ଷ ସ୍ୱାଭାବିକ ମୌସୁମୀ ବର୍ଷା ନେଇ ଆଗୁଆ ଆକଳନ କରିଛି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ଆଇଏମ୍‌ଡି ।