କର୍ଣ୍ଣାଟକରେ ଫ୍ରିଜ୍ ବିସ୍ଫୋରଣ: ଗୋଟିଏ ପରିବାରର ୪ ମୃତ, ୨ ଗୁରୁତର

କର୍ଣ୍ଣାଟକ: କର୍ଣ୍ଣାଟକ ବେଲଗାଭି ସେଣ୍ଟ୍ରାଲ୍ ବସଷ୍ଟାଣ୍ଡ ନିକଟ ଚାଭାଟ ଗଲିରେ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ଘଟିଯାଇଛି। ଘରେ ଥିବା ଫ୍ରିଜ୍ ବିସ୍ଫୋରଣ ଘଟି ଅଗ୍ନିକାଣ୍ଡ ହେବା ଫଳରେ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ଭାରତୀ ଦାମୋନେ, ଶାରଦା ଦାମୋନେ, ଗଙ୍ଗା ଦାମୋନେ ଓ ପ୍ରିୟା ଦାମୋନେ। ଗୁରୁତର ଆହତ ଗଜାନନ ଦାମୋନେ ଓ ରୋଶନ ଦାମୋନେଙ୍କ ଶରୀରର ପ୍ରାୟ ୬୦ ପ୍ରତିଶତ ପୋଡ଼ିଯାଇଛି। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ସୂଚନାନୁଯାୟୀ, ଗଣେଶ ଚତୁର୍ଥୀ ପାଇଁ ପରିବାର ଲୋକେ ଘରକୁ ଗଣେଶଙ୍କ ମୂର୍ତ୍ତି ଆଣିଥିଲେ। ରାତିରେ ଖାଇସାରି ପରିବାରର ୬ ଜଣ ସଦସ୍ୟ ଶୋଇଥିବା ବେଳେ ଭୋର ପ୍ରାୟ ୨ଟା ୧୫ ମିନିଟ୍‌ରେ ହଠାତ୍ ପ୍ରଚଣ୍ଡ ଶବ୍ଦରେ ଘରଟି ଥରିଉଠିଥିଲା। ବିସ୍ଫୋରଣ ପରେ ଚାରିଆଡ଼େ ନିଆଁ ବ୍ୟାପିଯିବାରୁ ପୁରା ପରିବାର ନିଆଁ ଭିତରେ ଫସିଯାଇଥିଲେ। ପ୍ରଚଣ୍ଡ ଶବ୍ଦ ଶୁଣି ପଡ଼ୋଶୀମାନେ ଧାଇଁଆସି ଦୁଇ ଜଣଙ୍କୁ ଉଦ୍ଧାର କରିଥିଲେ ହେଁ ୪ ଜଣ ମହିଳା ଘର ଭିତରେ ହିଁ ଆପ୍ରାଣ ଚେଷ୍ଟା ପରେ ବି ଫସି ରହି ପ୍ରାଣ ହରାଇଥିଲେ। ଏହି ସୋଚନୀୟ ଅଗ୍ନିକାଣ୍ଡରେ ଘରଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହେବା ସହ ଘର ଭିତରେ ଥିବା ସମସ୍ତ ସାମଗ୍ରୀ ପୋଡ଼ି ଛାରଖାର ହୋଇଯାଇଛି।

Fridge explosion in Karnataka: 4 members of a family dead