ଭୁବନେଶ୍ବର : ପରିବହନ ବ୍ୟବସାୟ ଆଳରେ କୋଟି କୋଟି ଟଙ୍କାର ଠକେଇ ଅଭିଯୋଗ । ୨ ମହିଳା ଗିରଫ ଓ ଗୋଟିଏ ଟ୍ରକ୍ ଜବତ । ଢେଙ୍କାନାଳ ଜିଲ୍ଲା ବାଲିମୀ ଥାନା ଅଞ୍ଚଳରେ ପରିବହନ ବ୍ୟବସାୟ ଆଳରେ କୋଟି କୋଟି ଟଙ୍କାର ଠକେଇ ଅଭିଯୋଗରେ ଦୁଇ ମହିଳାଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି । ଏ ସଂକ୍ରାନ୍ତରେ ବାଲିମୀ ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି । ପରିବହନରେ ବ୍ୟବହୃତ ଗୋଟିଏ ଟ୍ରକକୁ ପୋଲିସ ଜବତ କରିଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି । ଗିରଫ ମହିଳାମାନେ ହେଲେ ତାଳଚେର ବଡଦାଣ୍ଡ ସାହିର ସନ୍ତୋଷୀ ମହାନ୍ତି ଓ ତାଳଚେର ଅଂଚଳର ରଶ୍ମିତା ଜେନା । ରଶ୍ମିତାଙ୍କର ଘର ଯାଜପୁର ଜିଲା ବରି ବିଂଝାରପୁର ଅଂଚଳରେ । ସେ ତାଳଚେର ଅନନ୍ତପୁର ଅଞ୍ଚଳରେ ଏକ ବିୟୁଟି ପାର୍ଲର କରିଥିବା ବେଳେ ସେଣ୍ଟ୍ରାଲ କଲୋନୀରେ ରହୁଥିଲେ । ଉଭୟେ ଏକ ଗ୍ୟାଙ୍ଗ ଗଠନ କରି ବିଭିନ୍ନ ସଂସ୍ଥାରୁ ପରିବହନ ବ୍ୟବସାୟ ଆଳରେ ଜାଲ କାଗଜପତ୍ର, ଚାଲାଣ, ରିସିଫ୍ଟ, ଜାଲ ଏଗ୍ରିମେଣ୍ଟ କରି ଠକେଇ କରୁଥିବା ଘଟଣାର ପର୍ଦ୍ଦାଫାସ କରିଛି ବାଲିମୀ ଥାନା ପୋଲିସ । ବିଭିନ୍ନସଂସ୍ଥାରୁ ମାଲ ଲୋଡ କରି ଟ୍ରକ ଯୋଗେ ପରିବହନ ହେଉଥିବା ବେଳେ ଏହି ଗ୍ୟାଙ୍ଗ୍ ବାଟରେ ଟ୍ରକ୍ ଚାଳକଙ୍କୁ ଅଟକାଇ ପ୍ରଲୋଭିତ କରି ମାଲକୁ ଅନ୍ୟଏକ ଗାଡିରେ ଲୋଡକରି ଠିକଣା ଜାଗାରେ ପହଞ୍ଚାଇବାକୁ କହି ଠକେଇ କରୁଥିବା ପୋଲିସ ସୂତ୍ରରୁ ଜଣାଯାଇଛି ।