ଭୁବନେଶ୍ବର: ଶ୍ରୀମନ୍ଦିରରେ ସ୍କ୍ୱାର୍ଡ ନିଯୁକ୍ତି ନାଁରେ ବଡ଼ଧରଣର ଠକେଇ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ମୋଟା ଅଙ୍କର ଅର୍ଥ ନେଇ କିଛି ଅସାଧୁ ବ୍ୟକ୍ତି ନକଲି ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଜାଲ୍ ଦସ୍ତଖତ ଥିବା ଏକ ନିଯୁକ୍ତିପତ୍ର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଶ୍ରୀମନ୍ଦିର ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ହେମନ୍ତ କୁମାର ପାଢ଼ୀ ଘଟଣାର ତଦନ୍ତ କରିବା ସହ ସିଂହଦ୍ୱାର ଥାନାରେ ଏ ନେଇ ଏତଲା ଦେଇଛନ୍ତି ଅପରପକ୍ଷରେ, ଏଭଳି ନକଲି ନିଯୁକ୍ତିପତ୍ର ଭାଇରାଲ ହେବା ପରେ ଶ୍ରୀମନ୍ଦିର ସେବାୟତମାନେ ଚିନ୍ତା ପ୍ରକଟ କରିଛନ୍ତି। ଘଟଣାର ତୁରନ୍ତ ତଦନ୍ତ କରାଯାଇ ନକଲି ନିଯୁକ୍ତିପତ୍ର ପଛରେ ଥିବା ସଂପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ମୋଟ ୧୬ ଜଣଙ୍କୁ ଏହି ନକଲି ନିଯୁକ୍ତିପତ୍ର ପଠାଯାଇଛି। ଏଥିରେ ଶ୍ରୀମନ୍ଦିର ପ୍ରଶାସନର ଲୋଗୋ ସହ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ନକଲି ଦସ୍ତଖତ ଓ ଷ୍ଟାମ୍ପ ରହିଛି। ଗତ ଜୁଲାଇ ୩୧ ତାରିଖରେ ଏହି ଚିଠି ଜାରି କରାଯାଇଥିବା ନେଇ ସେଥିରେ ଉଲ୍ଲେଖ ରହିଛି।