ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ସହଯୋଗୀଙ୍କ ନାମରେ ଠକେଇ ମାମଲା: ଇଡିକୁ ତଥ୍ୟ ପ୍ରଦାନ କଲେ ବ୍ରହ୍ମପୁର ଏସ୍‌ପି

ଭୁବନେଶ୍ୱର: ଟାଟା ମୋଟର୍ସରେ ଚାକିରି କରାଇଦେବା ନାଁରେ ଗୋପାଳପୁର ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀ, ତାଙ୍କ ସହଯୋଗୀ ଭି. ସର୍ବେଶ୍ୱର ରାଓଙ୍କ ସମେତ ପୂର୍ବତନ ଆଇଏଫ୍‌ଏସ୍ ଅଧିକାରୀ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କ ନାମରେ ପୁଲିସ ଠକେଇ ମାମଲା ରୁଜୁ କରିଥିଲା । ପୁଲିସ ମାମଲାର ତଦନ୍ତ କରୁଥିବା ବେଳେ ଏବେ ଏହି ଘଟଣା ପୁଣି ଚର୍ଚ୍ଚାର ପରିସରକୁ ଆସିଛି । ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି । ଏନେଇ ଗତ ୨ ଦିନ ପୂର୍ବେ ବ୍ର୍ରହ୍ମପୁର ଏସ୍‌ପି ଡା. ସରବଣା ବିବେକ ଏମ୍‌ଙ୍କୁ ମାମଲାର ତଥ୍ୟ ମାଗିଥିବା ଇଡି । ଏହାକୁ ଆଧାର କରି ବ୍ରହ୍ମପୁର ଏସ୍‌ପି ଇଡି ନିକଟରେ ସମସ୍ତ ତଥ୍ୟ ସହ କୋର୍ଟର ଷ୍ଟାଟସ୍ ରିପୋର୍ଟ ପ୍ରଦାନ କରିଥିବା କହିଛନ୍ତି । ବ୍ରହ୍ମପୁର ପୁଲିସ ଜିଲ୍ଲାରେ ପ୍ରଦୀପ ପାଣିଗ୍ରାହୀ, ଅଭୟ ପାଠକ ଓ ଆକାଶ ପାଠକଙ୍କ ନାମରେ ମୋଟ୍ ୫ଟି ମାମଲା ରହିଥିବା ବେଳେ ୪ଟି ମାମଲା ଗୋଳନ୍ଥରା ଓ ଗୋଟିଏ ମାମଲା ବୈଦ୍ୟନାଥପୁର ଥାନାରେ ରହିଛି । ଏହି ସବୁ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ବାପା ଅଭୟ ଓ ପୁଅ ଆକାଶ ପାଠକଙ୍କୁ ପୁଲିସ ଗିରଫ କରିଥିଲା । ସେହିପରି ଭୁବନେଶ୍ୱରରେ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ମଧ୍ୟ ତାଙ୍କୁ ଗିରଫ କରାଯାଇଥିବା ବେଳେ ସେ ଦୀର୍ଘ ୬ ମାସ ଜେଲ୍‌ରେ ରହିବା ପରେ ପ୍ରଦୀପ ଜାମିନରେ ମୁକୁଳିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଉଭୟେ ଆକାଶ ଓ ଅଭୟ ଜାମିନରେ ମୁକୁଳିଥିଲେ । ସୂଚନାଯୋଗ୍ୟ ଯେ ଟାଟା ମୋଟର୍ସରେ ଚାକିରି କରାଇଦେବା ନାଁରେ ଡା. ପ୍ରଦୀପ ପାଣିଗ୍ରାହୀ ଓ ଆକାଶ ପାଠକ ଲୋକଙ୍କ ଠାରୁ ଟଙ୍କା ଠକେଇ କରିବା ଅଭିଯୋଗ ହୋଇଥିଲା । ବିଭିନ୍ନ ଥାନାରେ ପ୍ରଦୀପ, ଆକାଶ ଓ ଅଭୟ ଲୋକଙ୍କ ଠାରୁ ପ୍ରାୟ ୫୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା ।