ଦିଲ୍ଲୀ ସମେତ ୧୪ ଜିଲ୍ଲାରେ ବାଣଫୁଟା ବନ୍ଦ

ଶୀତଦିନ ଆରମ୍ଭ ନ ହେଉଣୁ ଦିଲ୍ଲୀରେ ପ୍ରଦୂଷଣ ବଢିବାକୁ ଲାଗୁଛି ଇ ସେଥିପାଇଁ ରାଜଧାନୀ ଦିଲ୍ଲୀକୁ ଲାଗି ଥିବା ୧୪ଟି ଜିଲ୍ଲାରେ ବାଣ ବିକ୍ରି ଏବଂ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି । କେବଳ ସେତିକି ନୁହେଁ ଅନ୍‌ଲାଇନ୍‌ ସପିଂ ସାଇଟ୍‌ରେ ମଧ୍ୟ କୌଣସି ପ୍ରକାରର ବାଣ ବିକ୍ରି ଉପରେ ନିଷେଧ ଲଗାଯାଇଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।
ପ୍ରତିବର୍ଷ ଦୀପାବଳି ପରେ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ସ୍ତର ତଳକୁ ଖସିଥାଏ। ତେବେ ଏହାକୁ ଦୃଷ୍ଟିରେ ଚଳିତ ବର୍ଷ ହରିଆଣା ସରକାର ଆଗୁଆ ପଦକ୍ଷେପ ନେଇଛନ୍ତି। ରାଜ୍ୟ ସରକାରଙ୍କ ଅନୁଯାୟୀ, ବାଣ ଫୁଟାଇବା କାରଣରୁ ସମ୍ବେଦନଶୀଳ ଲୋକଙ୍କୁ ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।
ଯେଉଁ ୧୪ ଜିଲ୍ଲାରେ ବାଣ ବ୍ୟାନ୍‌ କରାଯାଇଛି ସେଥିରେ ଭିବାନୀ, ଚରଖି ଦାଦ୍ରି, ଫରିଦାବାଦ, ଗୁରୁଗ୍ରାମ, ଝଜ୍ଜର, ଜିନ୍ଦ, କର୍‌ନାଲ, ମହେନ୍ଦ୍ରଗଡ଼, ନୁହ, ପଲୱାଲ, ପାନିପତ, ରେୱାଡି, ରୋହତକ ଏବଂ ସୋନିପାତ ସାମିଲ ଅଛି।
ବିଜ୍ଞପ୍ତି ଅନୁଯାୟୀ, ଯେଉଁ ସହର ଏବଂ ସହରାଞ୍ଚଳଗୁଡ଼ିକରେ ନଭେମ୍ବର ମାସରେ ହାରାହାରି ବାୟୁର ଗୁଣବତ୍ତା ଖରାପ ରହୁଛି ସେହି ଅଞ୍ଚଳଗୁଡିକ ପାଇଁ ମଧ୍ୟ ଏହି ନିୟମ ଲାଗୁ ହେବ। ଯେଉଁ ସହରରେ ବାୟୁ ଗୁଣବତ୍ତା ମଧ୍ୟମ କିମ୍ବା ତା’ଠାରୁ କମ୍‌ ରହୁଛି ସେଠି ଗ୍ରୀନ୍‌ ବାଣ ଫୁଟାଇବା ପାଇଁ ଅନୁମତି ଦିଆଯାଇଛି।
ବିବାହ କିମ୍ବା ଅନ୍ୟ ଆୟୋଜନ ଗୁଡିକରେ କେବଳ ସବୁଜ ବାଣ ଫୁଟାଇବା ପାଇଁ ସରକାରଙ୍କ ତରଫରୁ ପରାମର୍ଶ ଦିଆଯାଇଛି। ଆଖ ପାଖ ରାଜ୍ୟ ଗୁଡିକରରେ କୃଷି ଅମଳପରେ ନଡ଼ାପୋଡ଼ି ଯୋଗୁଁ ଅସମ୍ଭବ ପ୍ରକାର ପ୍ରଦୂଷଣ ବଢିଥାଏ I ତେଣୁ ପ୍ରଦୂଷଣ ସ୍ତର ବିପଜ୍ଜନକ ସ୍ଥିତିକୁ ପହଞ୍ଚିବା ପୂର୍ବରୁ ଏହି ପଦକ୍ଷେପ ନିଆଯାଇଛି।

Comments (0)
Add Comment