ନୂଆଦିଲ୍ଲୀ: ଓଡ଼ିଶା ସୀମାନ୍ତ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲା ଅନ୍ତର୍ଗତ ଟେକ୍କାଲି ମଣ୍ଡଳର ରବିଭଲସା ନିକଟରେ ବୁଧବାର ଅପରାହ୍ନ ପ୍ରାୟ ୧୨ଟା ୪୫ ମିନିଟ୍ରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ଦ୍ରୁତଗତିରେ ଆସୁଥିବା ରାଜ୍ୟରାଣୀ ଏକ୍ସପ୍ରେସ୍ ଟ୍ରେନ୍ ଧକ୍କାରେ ଘଟଣାସ୍ଥଳରେ ହିଁ ୪ ଜଣ ଛାତ୍ରଙ୍କ ଦାୟନୀୟ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ଏହି ଅଭାବନୀୟ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି। ମୃତ ଛାତ୍ରମାନେ ହେଲେ ବିଶାଖ ରାଓ, ଦିଲ୍ଲୀପ କୁମାର, ଶିବା ଓ ଶରତ। ଗୁରୁତର ଆହତ ଯୁବକଙ୍କ ନାମ ସଲମନ ରାଜୁ। ପ୍ରାଥମିକ ସୂଚନା ଅନୁଯାୟୀ, ମୃତାହତ ସମସ୍ତ ଯୁବକ ଟେକ୍କାଲି ନିକଟସ୍ଥ ଡାମାରା ଅଞ୍ଚଳର ବାସିନ୍ଦା ଏବଂ ସେମାନେ ଏକ ହଷ୍ଟେଲରେ ରହି ପାଠ ପଢ଼ୁଥିଲେ। ବୁଧବାର ଅପରାହ୍ନରେ ୫ ଜଣ ଛାତ୍ର ରେଳ ଧାରଣା ନିକଟକୁ ଯାଇଥିବା ସମୟରେ ଅତି ଦ୍ରୁତଗତିରେ ଆସୁଥିବା ରାଜ୍ୟରାଣୀ ଏକ୍ସପ୍ରେସ୍ ସେମାନଙ୍କୁ ଧକ୍କା ଦେଇଥିଲା। ଟ୍ରେନ୍ର ସିଧାସଳଖ ଧକ୍କା ଏତେ ଭୟଙ୍କର ଥିଲା ଯେ ୪ ଜଣ ଛାତ୍ରଙ୍କର ଘଟଣାସ୍ଥଳରେ ହିଁ ଜୀବନ ଚାଲିଯାଇଥିଲା। ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ସ୍ଥାନୀୟ ପୁଲିସ, ସରକାରୀ ରେଳବାଇ ପୁଲିସ (ଜିଆରପି) ଏବଂ ରେଳବାଇର ଉଚ୍ଚାଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ। ଗୁରୁତର ଆହତ ସଲମନ ରାଜୁଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତଦେହଗୁଡ଼ିକୁ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।