କଂଗ୍ରେସରୁ ଇସ୍ତଫା ଦେଲେ ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ

ଆଜି କଂଗ୍ରେସ ଦଳ ରୁ ଇସ୍ତଫା ଦେଇଛନ୍ତି ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇ ଦେଇଛନ୍ତି। ଅତି ଦୁଃଖ ଓ କଷ୍ଟର ସହ ସେ ଏହି ନିଷ୍ପତ୍ତି ନେଇଥିବା ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ଦଳରେ ଏବେ ଜନସେବାର ସୁଯୋଗ ନଥିବାରୁ ସେ ଇସ୍ତଫା ଦେଇଥିବା କହିଛନ୍ତି। ସେ ଦଳର ସସଦସ୍ୟ ମାନଙ୍କର ବିଶୃଙ୍ଖଳିତ ଆଚରଣ ଏବଂ ଦଳର ସାଙ୍ଗଠନିକ ସ୍ଥିତି ଭୁଶୁଡି ଯାଇଥିବା କଥା ପତ୍ରରେ ଉଲ୍ଲେଖ କରିଛନ୍ତି I
ସୋନିଆ ଗାନ୍ଧିଙ୍କ ଉଦ୍ଦେଶ୍ୟରେ ପ୍ରଦୀପ ଲେଖିଛନ୍ତି ଯେ ଆପଣଙ୍କ ବଳିଷ୍ଠ ନେତୃତ୍ୱରେ ଦଳର ସାଂଗଠନିକ କାର୍ଯ୍ୟ ବହୁତ ଭଲ ଭାବେ ପରିଚାଳିତ ହେଉଥିଲା। କିନ୍ତୁ ଦଳ ବର୍ତ୍ତମାନ ଏହାର ବିଶ୍ୱାସନୀୟତା ହରାଇ ସାରିଛି, ଯାହାକୁ ପୁଣି ଫେରି ପାଇବାକୁ ଦୀର୍ଘ ଦିନ ଲାଗିବ। ପ୍ରଦୀପ ଆହୁରି ଲେଖିଛନ୍ତି ଯେ ସେ ତାଙ୍କ ଲୋକମାନଙ୍କ ସେବା କରିବା ପାଇଁ ଖୁବ୍ ଆଗ୍ରହୀ। ଯେ କୌଣସି ପଦପଦବୀରେ ରହିଲେ ବି ସେ ଲୋକଙ୍କ ସେବା କରିବେ। ସେ ଅତ୍ୟନ୍ତ ଦୁଃଖର ସହିତ କଂଗ୍ରେସ ଛାଡୁଛନ୍ତି ଓ ସେଥିପାଇଁ ତାଙ୍କୁ କ୍ଷମା କରି ଦିଆଯିବ ବୋଲି ପ୍ରଦୀପ ଲେଖିଛନ୍ତି।
ପ୍ରଦୀପ ମାଝୀ କଂଗ୍ରେସ ଛାଡ଼ିବା ପରେ ବିଜେଡିରେ ଯୋଗ ଦେବେ ବୋଲି ଆଲୋଚନା ହେଉଛି। ବେଶ୍ କିଛି ଦିନ ଆଗରୁ ବି ଏ ନେଇ ଆଲୋଚନା ଚାଲିଥିଲା। ତେବେ ତା’ ଭିତରେ ପ୍ରଦୀପ ଦିଲ୍ଲୀ ଯାଇ ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ। ଏହା ପରେ ସେ ଆଉ ଦଳ ଛାଡ଼ିବେନି ବୋଲି କୁହାଯାଇଥିଲା।
ତେବେ ପ୍ରଦୀପଙ୍କ କିଛି ଦିନ ପୂର୍ବରୁ କୈଳାସ କୁଲେସିକା କଂଗ୍ରେସ ଛାଡ଼ିଥିଲେ। ସେ ବୁଧବାର ଦିନ ବିଜେଡିରେ ଯୋଗ ଦେଇଛନ୍ତି। ତାଙ୍କ ପୂର୍ବରୁ ସେପ୍ଟେମ୍ବର ୧୫ରେ କୋଟପାଡ଼ର ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝୀ ବିଜେଡିରେ ସାମିଲ ହୋଇଥିଲେ।
ପ୍ରଦୀପଙ୍କ ଇସ୍ତଫା ପରେ ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ ତାଙ୍କ ଇସ୍ତଫା ଦ୍ୱାରା ଦଳର କିଛି କ୍ଷତି ହେବନାହିଁ।

Comments (0)
Add Comment